17ଏନିମନ୍ତେ ସେ କଲ୍ଦୀୟମାନଙ୍କ ରାଜାକୁ ସେମାନଙ୍କ ପ୍ରତିକୂଳରେ ଆଣନ୍ତେ, ସେ ସେମାନଙ୍କ ଯୁବାମାନଙ୍କୁ ସେମାନଙ୍କ ଧର୍ମଧାମରେ ଖଡ୍ଗ ଦ୍ୱାରା ବଧ କଲା, ପୁଣି ଯୁବା କି ଯୁବତୀ, ବୃଦ୍ଧ କି ଜରାଜୀର୍ଣ୍ଣ, କାହାରିକୁ ଦୟା କଲା ନାହିଁ; ପରମେଶ୍ୱର ତାହା ହସ୍ତରେ ସମସ୍ତଙ୍କୁ ସମର୍ପି ଦେଲେ।
18ଆଉ, ପରମେଶ୍ୱରଙ୍କ ଗୃହର ବଡ଼ ସାନ ସମସ୍ତ ପାତ୍ର ଓ ସଦାପ୍ରଭୁଙ୍କ ଗୃହର ଧନ, ପୁଣି ରାଜାଙ୍କର ଓ ତାଙ୍କ ଅଧିପତିମାନଙ୍କ ଧନ, ଏହିସବୁ ବାବିଲକୁ ନେଇଗଲା।
19ପୁଣି, ସେମାନେ ପରମେଶ୍ୱରଙ୍କ ଗୃହ ଦଗ୍ଧ କଲେ ଓ ଯିରୂଶାଲମର ପ୍ରାଚୀର ଭଗ୍ନ କଲେ ଓ ତହିଁର ଅଟ୍ଟାଳିକାସବୁ ଅଗ୍ନିରେ ଦଗ୍ଧ କରି ସେଠାରେ ଥିବା ମନୋହର ପାତ୍ରସବୁ ବିନାଶ କଲେ।
20ପୁଣି, ସେ ଖଡ୍ଗରୁ ବଞ୍ଚିବା ଲୋକମାନଙ୍କୁ ବାବିଲକୁ ନେଇଗଲା; ତହିଁରେ ପାରସିକ ରାଜ୍ୟ ସ୍ଥାପନ ପର୍ଯ୍ୟନ୍ତ ସେମାନେ ତାହାର ଓ ତାହାର ସନ୍ତାନଗଣର ଦାସ ହୋଇ ରହିଲେ;
21ଦେଶ ଆପଣାର ନାନା ବିଶ୍ରାମ ଭୋଗ କରିବା ପର୍ଯ୍ୟନ୍ତ ଯିରିମୀୟର ମୁଖ ଦ୍ୱାରା ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ସଫଳ ହେବା ନିମନ୍ତେ ଏହା ଘଟିଲା; କାରଣ ସତୁରି ବର୍ଷ ପୂର୍ଣ୍ଣକରଣାର୍ଥେ ଦେଶ ଉଚ୍ଛିନ୍ନ ଅବସ୍ଥାରେ ଥିବା ପର୍ଯ୍ୟନ୍ତ ବିଶ୍ରାମ ପାଳନ କଲା।