1ଏହିରୂପେ ସଦାପ୍ରଭୁଙ୍କ ଗୃହ ନିମନ୍ତେ ଶଲୋମନଙ୍କର କୃତ ସମସ୍ତ କାର୍ଯ୍ୟ ସମାପ୍ତ ହେଲା। ପୁଣି ଶଲୋମନ ଆପଣା ପିତା ଦାଉଦଙ୍କର ପବିତ୍ରୀକୃତ ଦ୍ରବ୍ୟସବୁ, ଅର୍ଥାତ୍, ରୂପା, ସୁନା ଓ ସମସ୍ତ ସାମଗ୍ରୀ ଭିତରକୁ ଆଣି ପରମେଶ୍ୱରଙ୍କ ଗୃହର ଭଣ୍ଡାରରେ ରଖିଲେ।
2ତହୁଁ ଶଲୋମନ ଦାଉଦ-ନଗର ସିୟୋନରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବା ପାଇଁ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଓ ବଂଶୀୟ ପ୍ରଧାନ ସମସ୍ତଙ୍କୁ, ଇସ୍ରାଏଲ-ସନ୍ତାନଗଣର ପିତୃବଂଶାଧିପତିମାନଙ୍କୁ ଯିରୂଶାଲମରେ ଏକତ୍ର କଲେ।
3ତହିଁରେ ସପ୍ତମ ମାସର ପର୍ବ ସମୟରେ ସମସ୍ତ ଇସ୍ରାଏଲ ଲୋକ ରାଜାଙ୍କ ନିକଟରେ ଏକତ୍ର ହେଲେ।
4ପୁଣି ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଉପସ୍ଥିତ ହୁଅନ୍ତେ, ଲେବୀୟମାନେ ସିନ୍ଦୁକ ଉଠାଇଲେ।
5ପୁଣି ସେମାନେ ସିନ୍ଦୁକ ଓ ସମାଗମ-ତମ୍ବୁ ଓ ତମ୍ବୁସ୍ଥିତ ସମସ୍ତ ପବିତ୍ର ପାତ୍ର ଆଣିଲେ; ଲେବୀୟ ଯାଜକମାନେ ତାହାସବୁ ଆଣିଲେ।