3ମୁଁ ତୁମ୍ଭମାନଙ୍କୁ ଦୋଷ ଦେବା ନିମନ୍ତେ ଏହା କହୁ ନାହିଁ; କାରଣ ମୁଁ ପୂର୍ବରେ କହିଅଛି, ତୁମ୍ଭେମାନେ ଆମ୍ଭମାନଙ୍କ ହୃଦୟରେ ଏପରି ସ୍ଥାନ ପାଇଅଛ ଯେ, ମଲେ ଆମ୍ଭେମାନେ ଏକତ୍ର ମରିବା, ପୁଣି, ବଞ୍ଚିଲେ ଏକତ୍ର ବଞ୍ଚିବା।
4ତୁମ୍ଭମାନଙ୍କଠାରେ ମୋହର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, ତୁମ୍ଭମାନଙ୍କ ବିଷୟରେ ମୋହର ଅତ୍ୟନ୍ତ ଦର୍ପ; ମୁଁ ସାନ୍ତ୍ୱନାରେ ପରିପୂର୍ଣ୍ଣ, ଆମ୍ଭମାନଙ୍କ ସମସ୍ତ କ୍ଳେଶରେ ମୋହର ଆନନ୍ଦ ଉଛୁଳି ପଡ଼ୁଅଛି।
5କାରଣ ମାକିଦନିଆରେ ଉପସ୍ଥିତ ହେଲା ଉତ୍ତାରେ ମଧ୍ୟ ବାହାରେ ଯୁଦ୍ଧ ଓ ଭିତରେ ଭୟ, ଏହିପରି ସର୍ବପ୍ରକାରେ କ୍ଳେଶଭୋଗ କରିବାରୁ ଆମ୍ଭମାନଙ୍କ ଶରୀରସୁଦ୍ଧା ବିଶ୍ରାମ ପାଇଲା ନାହିଁ।
6ତଥାପି ଭଗ୍ନୋତ୍ସାହମାନଙ୍କୁ ସାନ୍ତ୍ୱନା ଦିଅନ୍ତି ଯେ ଈଶ୍ବର, ସେ ତୀତସଙ୍କ ଆଗମନ ଦ୍ୱାରା ଆମ୍ଭମାନଙ୍କୁ ସାନ୍ତ୍ୱନା ଦେଲେ,
7ଆଉ, କେବଳ ତାହାଙ୍କ ଆଗମନ ଦ୍ୱାରା ନୁହେଁ, କିନ୍ତୁ ଯେଉଁ ସାନ୍ତ୍ୱନା ଦ୍ୱାରା ସେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ୱନାପ୍ରାପ୍ତ ହୋଇଥିଲେ, ତାହା ଦ୍ୱାରା ମଧ୍ୟ ସାନ୍ତ୍ୱନା ଦେଲେ, କାରଣ ସେ ତୁମ୍ଭମାନଙ୍କ ଉଦ୍ଯୋଗ, ତୁମ୍ଭମାନଙ୍କ ବିଳାପ, ମୋʼ ସପକ୍ଷରେ ତୁମ୍ଭମାନଙ୍କ ଆଗ୍ରହ ବିଷୟ ଆମ୍ଭମାନଙ୍କୁ ଜଣାଇଲେ; ସେଥିରେ ମୁଁ ଆହୁରି ଅଧିକ ଆନନ୍ଦିତ ହେଲି।