8ତହିଁରେ ଯାଜକମାନେ ଲୋକମାନଙ୍କଠାରୁ ଆଉ ମୁଦ୍ରା ଗ୍ରହଣ ନ କରିବାକୁ, ଅବା ଗୃହର ଭଗ୍ନସ୍ଥାନସବୁ ପୁନଃନିର୍ମାଣ ନ କରିବାକୁ ସମ୍ମତ ହେଲେ।
9ମାତ୍ର ଯିହୋୟାଦା ଯାଜକ ଏକ ସିନ୍ଦୁକ ନେଇ ତହିଁର ଢାଙ୍କୁଣୀରେ ଏକ ଛିଦ୍ର କରି ଯଜ୍ଞବେଦି ନିକଟରେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ ସ୍ଥାନର ଦକ୍ଷିଣ ପାର୍ଶ୍ୱରେ ରଖିଲା; ପୁଣି ଦ୍ୱାରରକ୍ଷକ ଯାଜକମାନେ ସଦାପ୍ରଭୁଙ୍କ ଗୃହକୁ ଆନୀତ ମୁଦ୍ରାସବୁ ତହିଁ ଭିତରେ ରଖିଲେ।
10ଏଥିଉତ୍ତାରେ ସେମାନେ ସିନ୍ଦୁକରେ ବହୁତ ମୁଦ୍ରା ଥିବାର ଦେଖନ୍ତେ, ରାଜାଙ୍କର ଲେଖକ ଓ ମହାଯାଜକ ଆସି ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ସେହି ସକଳ ମୁଦ୍ରା ଥଳୀରେ ରଖି ଗଣନା କଲେ।
11ପୁଣି ସେମାନେ ସେହି ପରିମିତ ମୁଦ୍ରା ସଦାପ୍ରଭୁଙ୍କ ଗୃହର କର୍ମକାରକ ଅଧ୍ୟକ୍ଷମାନଙ୍କ ହସ୍ତରେ ଦେଲେ; ତହୁଁ ସେମାନେ ସଦାପ୍ରଭୁଙ୍କ ଗୃହର କର୍ମକାରୀ ସୂତ୍ରଧର ଓ ଗାନ୍ଥକ
12ଓ ରାଜମିସ୍ତ୍ରୀ ଓ ପ୍ରସ୍ତର ଖୋଦକମାନଙ୍କୁ, ଆଉ ସଦାପ୍ରଭୁଙ୍କ ଗୃହର ଭଗ୍ନସ୍ଥାନସବୁ ପୁନଃନିର୍ମାଣ କରିବା ନିମନ୍ତେ କାଷ୍ଠ ଓ ଖୋଦିତ ପ୍ରସ୍ତର କିଣିବାକୁ ଓ ଗୃହର ପୁନଃନିର୍ମାଣ କରିବାକୁ ପ୍ରୟୋଜନୀୟ ସର୍ବପ୍ରକାର ବ୍ୟୟ ପାଇଁ ତାହା ଦେଲେ।