7ଏଥିର କାରଣ ଏହି, ଇସ୍ରାଏଲ-ସନ୍ତାନଗଣର ଯେଉଁ ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ମିସର ଦେଶରୁ, ଅର୍ଥାତ୍, ମିସରୀୟ ରାଜା ଫାରୋର ହସ୍ତାଧୀନରୁ ବାହାର କରି ଆଣିଥିଲେ, ତାହାଙ୍କ ବିରୁଦ୍ଧରେ ସେମାନେ ପାପ କରି ଅନ୍ୟ ଦେବଗଣକୁ ଭୟ କଲେ,
8ଓ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଦୂର କରି ଦେଇଥିଲେ, ସେମାନଙ୍କ ଓ ଇସ୍ରାଏଲ ରାଜାମାନଙ୍କ ସ୍ଥାପିତ ବିଧିରେ ଚାଲିଲେ।
9ଆହୁରି ଇସ୍ରାଏଲ-ସନ୍ତାନଗଣ ଗୋପନରେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ଅଯଥାର୍ଥ କର୍ମ କଲେ ଓ ପ୍ରହରୀମାନଙ୍କ ଦୁର୍ଗଠାରୁ ପ୍ରାଚୀର-ବେଷ୍ଟିତ ନଗର ପର୍ଯ୍ୟନ୍ତ ଆପଣାମାନଙ୍କ ସକଳ ନଗରରେ ଉଚ୍ଚସ୍ଥଳୀମାନ ପ୍ରସ୍ତୁତ କଲେ।
10ଆଉ ସେମାନେ ଆପଣାମାନଙ୍କ ପାଇଁ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ହରିଦ୍ବର୍ଣ୍ଣ ବୃକ୍ଷ ମୂଳେ ସ୍ତମ୍ଭ ଓ ଆଶେରା ମୂର୍ତ୍ତିମାନ ସ୍ଥାପନ କଲେ।
11ପୁଣି ସେଠାସ୍ଥିତ ସକଳ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଦ୍ୱାରା ସେମାନଙ୍କ ସମ୍ମୁଖରୁ ଦୂରୀକୃତ ଅନ୍ୟ ଦେଶୀୟମାନଙ୍କ ତୁଲ୍ୟ ସେମାନେ ଧୂପ ଜ୍ୱଳାଇଲେ ଓ ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ଦୁଷ୍କର୍ମ କଲେ।