14ଏଥିରେ ଯିହୁଦାର ରାଜା ହିଜକୀୟ ଲାଖୀଶ୍କୁ ଅଶୂରର ରାଜା ନିକଟକୁ ଲୋକ ପଠାଇ କହିଲେ, “ମୁଁ ଅପରାଧ କଲି; ମୋʼ ନିକଟରୁ ଫେରି ଯାଉନ୍ତୁ; ଆପଣ ମୋʼ ଉପରେ ଯେଉଁ ଭାର ଥୋଇବେ, ତାହା ମୁଁ ବହିବି।” ତହୁଁ ଅଶୂରର ରାଜା ଯିହୁଦାର ରାଜା ହିଜକୀୟଙ୍କ ଉପରେ ତିନି ଶହ ତାଳନ୍ତ ରୂପା ଓ ତିରିଶ ତାଳନ୍ତ ସୁନା ନିରୂପଣ କଲା।
15ତହିଁରେ ହିଜକୀୟ ସଦାପ୍ରଭୁଙ୍କ ଗୃହରେ ଓ ରାଜଗୃହର ଭଣ୍ଡାରମାନରେ ପ୍ରାପ୍ତ ସମସ୍ତ ରୂପା ତାହାକୁ ଦେଲେ।
16ସେସମୟରେ ହିଜକୀୟ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରସବୁରୁ ଓ ଯିହୁଦାର ରାଜା ହିଜକୀୟଙ୍କ ଦ୍ୱାରା ମଣ୍ଡିତ ସ୍ତମ୍ଭସବୁରୁ ସୁବର୍ଣ୍ଣ କାଟି ଅଶୂରର ରାଜାକୁ ଦେଲେ।
17ଏଥିଉତ୍ତାରେ ଅଶୂରର ରାଜା ଲାଖୀଶ୍ଠାରୁ ତର୍ତ୍ତାନ ଓ ରବ୍ସାରୀସ୍ ଓ ରବ୍ଶାକିକୁ ମହାସୈନ୍ୟ ସହିତ ଯିରୂଶାଲମକୁ ହିଜକୀୟ ରାଜାଙ୍କ ନିକଟକୁ ପଠାଇଲା। ତହୁଁ ସେମାନେ ଯାତ୍ରା କରି ଯିରୂଶାଲମକୁ ଆସିଲେ। ଆଉ ସେଠାରେ ଉପସ୍ଥିତ ହୁଅନ୍ତେ, ସେମାନେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲେ।
18ପୁଣି ସେମାନେ ରାଜାଙ୍କୁ ଡାକନ୍ତେ, ହିଲ୍କୀୟର ପୁତ୍ର ଇଲିୟାକୀମ୍ ନାମକ ରାଜଗୃହାଧ୍ୟକ୍ଷ ଓ ଶିବ୍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ବାହାର ହୋଇ ସେମାନଙ୍କ ନିକଟକୁ ଆସିଲେ।