12ଆଉ ଇଲୀଶାୟ ତାହା ଦେଖି ଉଚ୍ଚସ୍ୱରରେ କହିଲେ, “ହେ ଆମ୍ଭ ପିତଃ, ହେ ଆମ୍ଭ ପିତଃ, ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!” ଏଉତ୍ତାରେ ସେ ଏଲୀୟଙ୍କୁ ଆଉ ଦେଖିଲେ ନାହିଁ; ଏଣୁ ସେ ଆପଣା ବସ୍ତ୍ର ଧରି ଦୁଇ ଖଣ୍ଡ କରି ଚିରିଲେ।
13ମଧ୍ୟ ସେ ଏଲୀୟଙ୍କଠାରୁ ପଡ଼ିଥିବା ବସ୍ତ୍ରଖଣ୍ଡ ଉଠାଇ ନେଲେ ଓ ଫେରିଯାଇ ଯର୍ଦ୍ଦନ ତୀରରେ ଠିଆ ହେଲେ।
14ପୁଣି ସେ ଏଲୀୟଙ୍କଠାରୁ ପଡ଼ିଥିବା ବସ୍ତ୍ର ନେଇ ଜଳକୁ ଆଘାତ କରି କହିଲେ, “ସଦାପ୍ରଭୁ ଏଲୀୟଙ୍କର ପରମେଶ୍ୱର କାହାନ୍ତି?” ପୁଣି ସେ ମଧ୍ୟ ଜଳକୁ ଆଘାତ କରନ୍ତେ, ତାହା ଏପାଖେ ସେପାଖେ ବିଭକ୍ତ ହୋଇଗଲା; ତହିଁରେ ଇଲୀଶାୟ ପାର ହୋଇଗଲେ।
15ଆଉ ଯିରୀହୋ ନିବାସୀ ଭବିଷ୍ୟଦ୍ବକ୍ତାଗଣଙ୍କ ଯେଉଁ ଦଳ ତାଙ୍କ ସମ୍ମୁଖରେ ଥିଲେ, ସେମାନେ ତାଙ୍କୁ ଦେଖି କହିଲେ, “ଏଲୀୟଙ୍କର ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା।” ତହୁଁ ସେମାନେ ଇଲୀଶାୟଙ୍କୁ ଭେଟିବାକୁ ଆସି ତାଙ୍କ ସମ୍ମୁଖରେ ଭୂମିଷ୍ଠ ପ୍ରଣାମ କଲେ।
16ଆଉ ସେମାନେ ଇଲୀଶାୟଙ୍କୁ କହିଲେ, “ଏବେ ଦେଖନ୍ତୁ, ଆପଣଙ୍କ ଦାସମାନଙ୍କ ସଙ୍ଗେ ପଚାଶ ବଳବାନ ଲୋକ ଅଛନ୍ତି; ଆମ୍ଭେମାନେ ବିନୟ କରୁଅଛୁ, ସେମାନେ ଯାଇ ଆପଣଙ୍କ ପ୍ରଭୁଙ୍କୁ ଖୋଜନ୍ତୁ; ହୋଇପାରେ, ସଦାପ୍ରଭୁଙ୍କ ଆତ୍ମା ତାଙ୍କୁ ଊର୍ଦ୍ଧ୍ୱକୁ ନେଇ କୌଣସି ପର୍ବତ ଅବା ଉପତ୍ୟକାରେ ପକାଇ ଦେଇଥିବେ।” ଏଥିରେ ଇଲୀଶାୟ କହିଲେ, “ତୁମ୍ଭେମାନେ ପଠାଅ ନାହିଁ।”