3ଏଥିରେ ରାଜା ସ୍ତମ୍ଭ ନିକଟରେ ଠିଆ ହୋଇ ସଦାପ୍ରଭୁଙ୍କର ଅନୁଗାମୀ ହେବାକୁ ଓ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତାହାଙ୍କ ଆଜ୍ଞା ଓ ସାକ୍ଷ୍ୟ କଥା ଓ ବିଧି ପାଳନ କରି, ଏହି ପୁସ୍ତକରେ ଲିଖିତ ନିୟମ-ବାକ୍ୟ ସଫଳ କରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ନିୟମ କଲେ। ଆଉ ସମୁଦାୟ ଲୋକ ସେହି ନିୟମରେ ସମ୍ମତ ହେଲେ।
4ପୁଣି ରାଜା ଯୋଶୀୟ ସଦାପ୍ରଭୁଙ୍କ ମନ୍ଦିରରୁ ବାଲ୍ର ଓ ଆଶେରା ମୂର୍ତ୍ତିର ଓ ଆକାଶସ୍ଥ ବାହିନୀ ସକଳ ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହିଲ୍କୀୟ ମହାଯାଜକକୁ ଓ ଦ୍ୱିତୀୟ ଶ୍ରେଣୀର ଯାଜକମାନଙ୍କୁ ଓ ଦ୍ୱାରପାଳମାନଙ୍କୁ ଆଜ୍ଞା କଲେ; ତହୁଁ ସେ ଯିରୂଶାଲମର ବାହାରେ କିଦ୍ରୋଣ ପଦାରେ ତାହାସବୁ ଦଗ୍ଧ କରି ତହିଁର ଭସ୍ମ ବେଥେଲ୍କୁ ନେଇଗଲେ।
5ପୁଣି ଯିହୁଦାର ରାଜାମାନେ ଯେଉଁ ପୌତ୍ତଳିକ ପୁରୋହିତମାନଙ୍କୁ ଯିହୁଦା ଦେଶସ୍ଥ ନଗରସବୁର ଉଚ୍ଚସ୍ଥଳୀମାନରେ ଓ ଯିରୂଶାଲମର ଚତୁର୍ଦ୍ଦିଗର ସ୍ଥାନସବୁରେ ଧୂପ ଜ୍ୱଳାଇବା ପାଇଁ ନିଯୁକ୍ତ କରିଥିଲେ, ସେମାନଙ୍କୁ, ମଧ୍ୟ ଯେଉଁମାନେ ବାଲ୍ର, ସୂର୍ଯ୍ୟର ଓ ଚନ୍ଦ୍ରର ଓ ଗ୍ରହଗଣର ଓ ଆକାଶସ୍ଥ ବାହିନୀ ସକଳ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଲେ, ସେସବୁକୁ ସେ ରହିତ କଲେ।
6ଆଉ ଯୋଶୀୟ ସଦାପ୍ରଭୁଙ୍କ ଗୃହରୁ ଆଶେରା ମୂର୍ତ୍ତି ବାହାର କରି ଯିରୂଶାଲମର ବାହାରେ କିଦ୍ରୋଣ ନଦୀକୁ ଆଣିଲେ ଓ କିଦ୍ରୋଣ ନଦୀ ନିକଟରେ ତାହା ଦଗ୍ଧ କରି ପେଷି ଚୂର୍ଣ୍ଣ କଲେ ଓ ସେହି ଚୂର୍ଣ୍ଣ ସାଧାରଣ ଲୋକମାନଙ୍କ କବର ଉପରେ ନିକ୍ଷେପ କଲେ।
7ଆହୁରି ଯେଉଁ ସ୍ଥାନରେ ସ୍ତ୍ରୀମାନେ ଆଶେରା ନିମନ୍ତେ ପଟଗୃହ ନିର୍ମାଣ କଲେ, ସଦାପ୍ରଭୁଙ୍କ ଗୃହରେ ସ୍ଥିତ ସଦୋମୀମାନଙ୍କ ସେହି ଗୃହସବୁ ଭାଙ୍ଗି ପକାଇଲେ।