17କାରଣ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ବାୟୁ ଦେଖିବ ନାହିଁ, ଅବା ତୁମ୍ଭେମାନେ ବୃଷ୍ଟି ଦେଖିବ ନାହିଁ, ତଥାପି ସେହି ଉପତ୍ୟକା ଜଳରେ ପରିପୂର୍ଣ୍ଣ ହେବ; ତହିଁରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ଗୋମେଷାଦି ଓ ତୁମ୍ଭମାନଙ୍କ ପଶୁ ସମସ୍ତେ ପାନ କରିବ।’
18ଆହୁରି ସଦାପ୍ରଭୁଙ୍କ ଦୃଷ୍ଟିରେ ଏହା କେବଳ କ୍ଷୁଦ୍ର ବିଷୟ; ସେ ମୋୟାବୀୟମାନଙ୍କୁ ମଧ୍ୟ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ।
19ପୁଣି ତୁମ୍ଭେମାନେ ପ୍ରତ୍ୟେକ ପ୍ରାଚୀର-ବେଷ୍ଟିତ ନଗର ଓ ପ୍ରତ୍ୟେକ ଉତ୍ତମ ନଗର ଉଚ୍ଛିନ୍ନ କରିବ ଓ ପ୍ରତ୍ୟେକ ଉତ୍ତମ ବୃକ୍ଷ କାଟି ପକାଇବ ଓ ଜଳ-ନିର୍ଝରସକଳ ବନ୍ଦ କରିବ ଓ ପ୍ରତ୍ୟେକ ଉତ୍ତମ ଭୂମିଖଣ୍ଡ ପ୍ରସ୍ତରରେ ନାଶ କରିବ।”
20ଏଥିଉତ୍ତାରେ ପ୍ରାତଃକାଳୀନ ନୈବେଦ୍ୟ ଉତ୍ସର୍ଗ କରିବା ସମୟରେ ଦେଖ, ଇଦୋମର ପଥ ଦେଇ ଜଳ ଆସିଲା ଓ ଜଳରେ ଦେଶ ପୂର୍ଣ୍ଣ ହେଲା।
21ଏହି ସମୟରେ ମୋୟାବୀୟ ସମସ୍ତେ ଆପଣାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ରାଜାମାନଙ୍କର ଆସିବାର କଥା ଶୁଣି ସେମାନେ ଆପଣାମାନଙ୍କୁ, ଅର୍ଥାତ୍, ସଜ୍ଜା ପରିଧାନକ୍ଷମ ଓ ତଦଧିକ ବୟସ୍କ ଲୋକଙ୍କୁ ଏକତ୍ର କରି ଦେଶର ସୀମାରେ ଠିଆ ହୋଇଥିଲେ।