6ଆଉ ସେ ଇସ୍ରାଏଲର ରାଜାଙ୍କ ନିକଟକୁ ପତ୍ର ନେଇଗଲା; ତହିଁରେ ଏହା ଲେଖାଥିଲା, ଯଥା, “ପୁଣି ଏହି ପତ୍ର ତୁମ୍ଭ ନିକଟରେ ପହଞ୍ଚିଲେ ଦେଖିବ ଯେ, ମୁଁ ଆପଣା ଦାସ ନାମାନ୍କୁ ତୁମ୍ଭ ନିକଟକୁ ପଠାଇଲି, ଯେପରି ତୁମ୍ଭେ ତାହାକୁ ତାହାର କୁଷ୍ଠରୋଗରୁ ସୁସ୍ଥ କରିବ।”
7ତହୁଁ ଇସ୍ରାଏଲର ରାଜା ଏହି ପତ୍ର ପାଠ କରନ୍ତେ, ଆପଣା ବସ୍ତ୍ର ଚିରି କହିଲା, “ମାରିବାକୁ ଓ ବଞ୍ଚାଇବାକୁ ସମର୍ଥ ପରମେଶ୍ୱର କି ମୁଁ, ଯେ ଏହି ଲୋକ ଏକ ମନୁଷ୍ୟକୁ ତାହାର କୁଷ୍ଠରୋଗରୁ ସୁସ୍ଥ କରିବା ପାଇଁ ମୋʼ ନିକଟକୁ ପଠାଇଅଛି? କିନ୍ତୁ ମୁଁ ବିନୟ କରୁଅଛି, ତୁମ୍ଭେମାନେ ବିବେଚନା କର, ସେ କିପରି ଆମ୍ଭ ବିରୁଦ୍ଧରେ ଛିଦ୍ର ଖୋଜୁଅଛି।”
8ଏଥିଉତ୍ତାରେ ଇସ୍ରାଏଲର ରାଜା ଆପଣା ବସ୍ତ୍ର ଚିରିଅଛନ୍ତି, ଏହା ଶୁଣି ପରମେଶ୍ୱରଙ୍କ ଲୋକ ଇଲୀଶାୟ, ରାଜାଙ୍କ ନିକଟକୁ ଏହି କଥା କହି ପଠାଇଲେ, “ତୁମ୍ଭେ କାହିଁକି ଆପଣା ବସ୍ତ୍ର ଚିରିଲ? ସେ ଏବେ ମୋʼ ନିକଟକୁ ଆସୁ, ତହିଁରେ ଇସ୍ରାଏଲ ମଧ୍ୟରେ ଯେ ଏକ ଭବିଷ୍ୟଦ୍ବକ୍ତା ଅଛି, ଏହା ସେ ଜାଣିବ।”
9ଏଣୁ ନାମାନ୍ ଆପଣା ଅଶ୍ୱ ଓ ରଥ ଇତ୍ୟାଦି ସହିତ ଆସି ଇଲୀଶାୟଙ୍କ ଗୃହର ଦ୍ୱାର ନିକଟରେ ଠିଆ ହେଲା।
10ତହୁଁ ଇଲୀଶାୟ ଏକ ଦୂତ ପଠାଇ ତାହାଙ୍କୁ କହିଲେ, “ତୁମ୍ଭେ ଯାଇ ଯର୍ଦ୍ଦନରେ ସାତ ଥର ସ୍ନାନ କର, ତହିଁରେ ତୁମ୍ଭର ନୂତନ ମାଂସ ହେବ ଓ ତୁମ୍ଭେ ଶୁଚି ହେବ।”