7ଏକ ସମୟରେ ଇଲୀଶାୟ ଦମ୍ମେଶକରେ ଉପସ୍ଥିତ ହେଲେ; ସେତେବେଳେ ଅରାମର ରାଜା ବିନ୍ହଦଦ୍ ପୀଡ଼ିତ ଥିଲା; “ପୁଣି ପରମେଶ୍ୱରଙ୍କ ଲୋକ ଏ ସ୍ଥାନକୁ ଆସିଅଛନ୍ତି” ବୋଲି ତାହାକୁ ସମ୍ବାଦ ଦିଆଗଲା।
8ତହିଁରେ ରାଜା ହସାୟେଲକୁ କହିଲା, “ଆପଣା ହସ୍ତରେ ଉପହାର ନେଇ ପରମେଶ୍ୱରଙ୍କ ଲୋକଙ୍କୁ ସାକ୍ଷାତ କରିବାକୁ ଯାଅ, ‘ଆଉ ମୁଁ ଏହି ପୀଡ଼ାରୁ ମୁକ୍ତ ହେବି କି ନାହିଁ?’ ଏହି କଥା ତାଙ୍କ ଦ୍ୱାରା ସଦାପ୍ରଭୁଙ୍କୁ ପଚାର।”
9ଏଥିରେ ହସାୟେଲ ତାଙ୍କୁ ସାକ୍ଷାତ କରିବାକୁ ଗଲା ଓ ଦମ୍ମେଶକର ସକଳ ଉତ୍ତମ ବସ୍ତୁର ଚାଳିଶ ଓଟର ବୋଝ ଉପହାର ସଙ୍ଗେ ନେଇ ଆସି ତାଙ୍କ ସମ୍ମୁଖରେ ଉଭା ହୋଇ କହିଲା, “ଆପଣଙ୍କ ପୁତ୍ର ଅରାମର ରାଜା ବିନ୍ହଦଦ୍ ଆପଣଙ୍କ ନିକଟକୁ ମୋତେ ପଠାଇ ପଚାରୁଅଛନ୍ତି, ‘ମୁଁ କʼଣ ଏହି ପୀଡ଼ାରୁ ମୁକ୍ତ ହେବି?’”
10ତହିଁରେ ଇଲୀଶାୟ ତାହାକୁ କହିଲେ, “ତୁମ୍ଭେ ଯାଇ ତାହାଙ୍କୁ କୁହ, ‘ତୁମ୍ଭେ ଅବଶ୍ୟ ମୁକ୍ତ ହେବ,’ ତଥାପି ସଦାପ୍ରଭୁ ମୋତେ ଜଣାଇ ଅଛନ୍ତି ଯେ, ସେ ଅବଶ୍ୟ ମରିବ।”
11ସେତେବେଳେ ଇଲୀଶାୟ ତାହା ପ୍ରତି ଏପରି ସ୍ଥିର ଦୃଷ୍ଟି କଲେ ଯେ, ସେ ଲଜ୍ଜିତ ହେଲା; ପୁଣି ପରମେଶ୍ୱରଙ୍କ ଲୋକ ରୋଦନ କଲେ।