17ସେତେବେଳେ ଯିଷ୍ରିୟେଲ ଦୁର୍ଗ ଉପରେ ପ୍ରହରୀ ଠିଆ ହୋଇଥିଲା, ପୁଣି ଯେହୂ ଆସୁ ଆସୁ ପ୍ରହରୀ ତାଙ୍କର ଲୋକଦଳକୁ ଦେଖି କରି କହିଲା, “ମୁଁ ଏକ ଦଳ ଲୋକ ଦେଖୁଅଛି।” ତହିଁରେ ଯୋରାମ୍ କହିଲେ, “ଜଣେ ଅଶ୍ୱାରୋହୀକୁ ନେଇ ସେମାନଙ୍କୁ ସାକ୍ଷାତ କରିବା ପାଇଁ ପଠାଅ ଓ ସେ ପଚାରୁ, ‘କୁଶଳ କି?’”
18ତହିଁରେ ଜଣେ ଅଶ୍ୱ ଚଢ଼ି ତାଙ୍କୁ ସାକ୍ଷାତ କରିବାକୁ ଯାଇ କହିଲା, “ରାଜା ପଚାରୁଅଛନ୍ତି, ‘କୁଶଳ କି?’” ତହିଁରେ ଯେହୂ କହିଲେ, “କୁଶଳରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋʼ ପଛକୁ ଯାଅ।” ଏଥିରେ ପ୍ରହରୀ ଜଣାଇ କହିଲା, “ଦୂତ ସେମାନଙ୍କ ନିକଟକୁ ଗଲା, ମାତ୍ର ସେ ଫେରିଆସୁ ନାହିଁ।”
19ତହୁଁ ଯୋରାମ୍ ଦ୍ୱିତୀୟ ଜଣକୁ ଅଶ୍ୱରେ ପଠାନ୍ତେ, ସେ ସେମାନଙ୍କ ନିକଟକୁ ଯାଇ କହିଲା, “ରାଜା ପଚାରୁଅଛନ୍ତି, ‘କୁଶଳ କି?’” ପୁଣି ଯେହୂ ଉତ୍ତର କଲେ, “କୁଶଳରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋʼ ପଛକୁ ଯାଅ।”
20ଏଥିରେ ପ୍ରହରୀ ଜଣାଇ କହିଲା, “ସେ ଜଣ ହିଁ ସେମାନଙ୍କ ନିକଟକୁ ଗଲା, ଆଉ ସେ ଫେରିଆସୁ ନାହିଁ; ପୁଣି ରଥଚାଳନ ନିମ୍ଶିର ପୁତ୍ର ଯେହୂର ଚାଳନା ପରି; କାରଣ ସେ ଅତି ପ୍ରଚଣ୍ଡ ବେଗରେ ଚଳାଏ।”
21ତେବେ ଯୋରାମ୍ କହିଲେ, “ରଥ ପ୍ରସ୍ତୁତ କର।” ତହିଁରେ ସେମାନେ ତାଙ୍କର ରଥ ପ୍ରସ୍ତୁତ କଲେ। ପୁଣି ଇସ୍ରାଏଲର ରାଜା ଯୋରାମ୍ ଓ ଯିହୁଦାର ରାଜା ଅହସୀୟ ଆପଣା ଆପଣା ରଥରେ ବାହାରିଲେ, ଆଉ ସେମାନେ ଯେହୂଙ୍କୁ ଭେଟିବାକୁ ଯାଇ ଯିଷ୍ରିୟେଲୀୟ ନାବୋତର ଭୂମିରେ ତାଙ୍କୁ ଦେଖିଲେ।