21ତେବେ ଯୋରାମ୍ କହିଲେ, “ରଥ ପ୍ରସ୍ତୁତ କର।” ତହିଁରେ ସେମାନେ ତାଙ୍କର ରଥ ପ୍ରସ୍ତୁତ କଲେ। ପୁଣି ଇସ୍ରାଏଲର ରାଜା ଯୋରାମ୍ ଓ ଯିହୁଦାର ରାଜା ଅହସୀୟ ଆପଣା ଆପଣା ରଥରେ ବାହାରିଲେ, ଆଉ ସେମାନେ ଯେହୂଙ୍କୁ ଭେଟିବାକୁ ଯାଇ ଯିଷ୍ରିୟେଲୀୟ ନାବୋତର ଭୂମିରେ ତାଙ୍କୁ ଦେଖିଲେ।
22ପୁଣି ଯୋରାମ୍ ଯେହୂଙ୍କୁ ଦେଖନ୍ତେ, ତାଙ୍କୁ ପଚାରିଲେ, “ଯେହୂ କୁଶଳ କି?” ତହିଁରେ; ସେ ଉତ୍ତର କଲେ, “ଯେପର୍ଯ୍ୟନ୍ତ ତୁମ୍ଭ ମାତା ଈଷେବଲ୍ର ଏତେ ବ୍ୟଭିଚାର ଓ ମାୟାବୀତ୍ୱ ଅଛି, ସେପର୍ଯ୍ୟନ୍ତ କି କୁଶଳ?”
23ଏଥିରେ ଯୋରାମ୍ ଆପଣା ହସ୍ତ ଫେରାଇ ପଳାଇଲେ ଓ ଅହସୀୟଙ୍କୁ କହିଲେ, “ହେ ଅହସୀୟ, ବିଶ୍ୱାସଘାତକତା ହେଲା।”
24ତହୁଁ ଯେହୂ ଆପଣାର ସମ୍ପୂର୍ଣ୍ଣ ବଳରେ ଧନୁ ଟାଣି ଯୋରାମ୍ଙ୍କର ଦୁଇ ବାହୁ ମଧ୍ୟକୁ ମାରନ୍ତେ, ତୀର ତାଙ୍କ ହୃଦୟ ଦେଇ ବାହାରିଗଲା, ତହିଁରେ ସେ ଆପଣା ରଥରେ ନଇଁ ପଡ଼ିଲେ।
25ତେବେ ଯେହୂ ଆପଣା ସେନାପତି ବିଦ୍କରକୁ କହିଲେ, “ତାହାକୁ ଉଠାଇ ନେଇ ଯିଷ୍ରିୟେଲୀୟ ନାବୋତର କ୍ଷେତ୍ରଭୂମିରେ ପକାଇଦିଅ; କାରଣ ମୁଁ ଓ ତୁମ୍ଭେ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚାତ୍ଗମନ କରିବା ବେଳେ ସଦାପ୍ରଭୁ କିପ୍ରକାରେ ତାହା ଉପରେ ଏହି ଭାରୋକ୍ତି ଥୋଇଥିଲେ, ଏହା ସ୍ମରଣ କର: