1ଏଥିଉତ୍ତାରେ ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ ଦାଉଦ ଯୋୟାବକୁ ଓ ତାହା ସହିତ ଆପଣା ଦାସମାନଙ୍କୁ ଓ ସମୁଦାୟ ଇସ୍ରାଏଲକୁ ପଠାଇଲେ; ତହିଁରେ ସେମାନେ ଅମ୍ମୋନ-ସନ୍ତାନମାନଙ୍କୁ ସଂହାର କରି ରବ୍ବା ନଗର ଅବରୋଧ କଲେ। ମାତ୍ର ଦାଉଦ ଯିରୂଶାଲମରେ ରହିଲେ।
2ଦିନେ ସନ୍ଧ୍ୟା ସମୟରେ ଦାଉଦ ଆପଣା ଶଯ୍ୟାରୁ ଉଠି ରାଜଗୃହର ଛାତ ଉପରେ ବୁଲୁଥିଲେ; ପୁଣି ସେହି ଛାତ ଉପରୁ ସେ ଏକ ସ୍ତ୍ରୀକୁ ସ୍ନାନ କରୁଥିବା ଦେଖିଲେ; ସେହି ସ୍ତ୍ରୀ ଦେଖିବାକୁ ଅତି ସୁନ୍ଦରୀ ଥିଲା।
3ତେଣୁ ଦାଉଦ ସେହି ସ୍ତ୍ରୀର ବିଷୟ ବୁଝିବା ପାଇଁ ଲୋକ ପଠାନ୍ତେ ଜଣେ କହିଲା, “ସେ କʼଣ ଇଲୀୟାମର କନ୍ୟା ହିତ୍ତୀୟ ଊରୀୟର ଭାର୍ଯ୍ୟା ବତ୍ଶେବା ନୁହେଁ?”
4ତହୁଁ ଦାଉଦ ଦୂତ ପଠାଇ ତାହାକୁ ଆଣିଲେ, ପୁଣି ସେ ତାଙ୍କ ନିକଟକୁ ଆସନ୍ତେ, ଦାଉଦ ତାହା ସହିତ ଶୟନ କଲେ; ସେସମୟରେ ସେହି ସ୍ତ୍ରୀ ଋତୁସ୍ନାନ କରିଥିଲା। ଏଉତ୍ତାରେ ସେ ଆପଣା ଗୃହକୁ ଫେରିଗଲା।
5ଏଥିଉତ୍ତାରେ ସେହି ସ୍ତ୍ରୀ ଗର୍ଭବତୀ ହୁଅନ୍ତେ, ଦାଉଦଙ୍କ ନିକଟକୁ ଲୋକ ପଠାଇ ଜଣାଇ କହିଲା, ମୁଁ ଗର୍ଭବତୀ ହୋଇଅଛି।