1ଏଥିଉତ୍ତାରେ ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ ଦାଉଦ ଯୋୟାବକୁ ଓ ତାହା ସହିତ ଆପଣା ଦାସମାନଙ୍କୁ ଓ ସମୁଦାୟ ଇସ୍ରାଏଲକୁ ପଠାଇଲେ; ତହିଁରେ ସେମାନେ ଅମ୍ମୋନ-ସନ୍ତାନମାନଙ୍କୁ ସଂହାର କରି ରବ୍ବା ନଗର ଅବରୋଧ କଲେ। ମାତ୍ର ଦାଉଦ ଯିରୂଶାଲମରେ ରହିଲେ।
2ଦିନେ ସନ୍ଧ୍ୟା ସମୟରେ ଦାଉଦ ଆପଣା ଶଯ୍ୟାରୁ ଉଠି ରାଜଗୃହର ଛାତ ଉପରେ ବୁଲୁଥିଲେ; ପୁଣି ସେହି ଛାତ ଉପରୁ ସେ ଏକ ସ୍ତ୍ରୀକୁ ସ୍ନାନ କରୁଥିବା ଦେଖିଲେ; ସେହି ସ୍ତ୍ରୀ ଦେଖିବାକୁ ଅତି ସୁନ୍ଦରୀ ଥିଲା।
3ତେଣୁ ଦାଉଦ ସେହି ସ୍ତ୍ରୀର ବିଷୟ ବୁଝିବା ପାଇଁ ଲୋକ ପଠାନ୍ତେ ଜଣେ କହିଲା, “ସେ କʼଣ ଇଲୀୟାମର କନ୍ୟା ହିତ୍ତୀୟ ଊରୀୟର ଭାର୍ଯ୍ୟା ବତ୍ଶେବା ନୁହେଁ?”