18ଏଥିରେ ରାଜା ଉତ୍ତର ଦେଇ ସେହି ସ୍ତ୍ରୀକୁ କହିଲେ, “ଭଲ, ମୁଁ ତୁମ୍ଭକୁ ଯାହା ପଚାରିବି, ତାହା ମୋʼ ଠାରୁ ଗୋପନ କରିବ ନାହିଁ।” ତହୁଁ ସେହି ସ୍ତ୍ରୀ କହିଲା, “ମୋର ପ୍ରଭୁ ମହାରାଜ କହନ୍ତୁ।”
19ଏଥିରେ ରାଜା କହିଲେ, “ଏସମସ୍ତ କଥାରେ କି ତୁମ୍ଭ ସଙ୍ଗେ ଯୋୟାବର ହାତ ନାହିଁ?” ସେହି ସ୍ତ୍ରୀ ଉତ୍ତର ଦେଇ କହିଲା, “ହେ ମୋର ପ୍ରଭୋ, ମହାରାଜ, ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ କହୁଛି, ମୋʼ ପ୍ରଭୁ ମହାରାଜ ଯାହା କହିଅଛନ୍ତି, ତହିଁର ଡାହାଣକୁ କି ବାମକୁ ଫେରିବାକୁ କାହାରି ଆୟତ୍ତ ନାହିଁ; କାରଣ ଆପଣଙ୍କ ଦାସ ଯୋୟାବ ମୋତେ ଆଦେଶ କରି ଆପଣଙ୍କ ଦାସୀଙ୍କୁ ଏହି ସମସ୍ତ କଥା ଶିଖାଇଅଛନ୍ତି।
20କଥାକୁ ଏପରି ବୁଲାଇ କହିବାକୁ ଆପଣଙ୍କ ଦାସ ଯୋୟାବ ଏହା କରିଅଛନ୍ତି; ଯାହାହେଉ, ମୋର ପ୍ରଭୁ ପୃଥିବୀର ସମସ୍ତ ବିଷୟ ଜାଣିବା ପାଇଁ ପରମେଶ୍ୱରଙ୍କ ଦୂତଙ୍କ ଜ୍ଞାନ ପ୍ରମାଣେ ଜ୍ଞାନବାନ ଅଟନ୍ତି।”
21ଏଥିଉତ୍ତାରେ ରାଜା ଯୋୟାବକୁ କହିଲେ, “ଆଚ୍ଛା, ଦେଖ, ମୁଁ ଏହି କଥା କରିବି, ଏଣୁ ଯାଅ, ସେ ଯୁବା ଅବଶାଲୋମଙ୍କୁ ପୁନର୍ବାର ଆଣ।”
22ତହିଁରେ ଯୋୟାବ ମୁହଁ ମାଡ଼ି ପ୍ରଣାମ କରି ରାଜାଙ୍କର ଧନ୍ୟବାଦ କଲା; ଆଉ ଯୋୟାବ କହିଲା, “ହେ ମୋହର ପ୍ରଭୋ, ମହାରାଜ, ମୁଁ ଯେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଏହା ଆପଣଙ୍କ ଦାସ ଆଜି ଜାଣିଲା, ଯେହେତୁ ମହାରାଜ ଆପଣା ଦାସର ନିବେଦନାନୁସାରେ କଲେ।”