8ଦେଶସାରା ଯୁଦ୍ଧ ବ୍ୟାପିଗଲା; ପୁଣି ସେହି ଦିନ ଖଡ୍ଗ ଗ୍ରାସ କରିବା ଅପେକ୍ଷା ବନ ଅଧିକ ଲୋକକୁ ଗ୍ରାସ କଲା।
9ଆଉ ଅବଶାଲୋମ ଅକସ୍ମାତ୍ ଦାଉଦଙ୍କର ସୈନ୍ୟମାନଙ୍କୁ ଭେଟିଲା। ସେହି ସମୟରେ ଅବଶାଲୋମ ଖଚର ଉପରେ ଚଢ଼ିଥିଲା, ସେହି ଖଚର ଏକ ବଡ଼ ଅଲୋନ ବୃକ୍ଷର ଛନ୍ଦାଛନ୍ଦି ଶାଖା ତଳେ ଯିବାରୁ ଅବଶାଲୋମର ମସ୍ତକ ସେହି ଅଲୋନ ବୃକ୍ଷରେ ଅଟକି ରହିଲା, ତହିଁରେ ସେ ଆକାଶ ଓ ପୃଥିବୀ ମଧ୍ୟରେ ଝୁଲିଲା ଓ ଖଚର ତାହା ତଳୁ ଚାଲିଗଲା।
10ସେତେବେଳେ ଜଣେ ତାହା ଦେଖି ଯୋୟାବକୁ କହିଲା, “ଦେଖ, ମୁଁ ଅବଶାଲୋମଙ୍କୁ ଅଲୋନ ବୃକ୍ଷରେ ଟଙ୍ଗାଥିବାର ଦେଖିଲି!”
11ତହୁଁ ଯୋୟାବ ତାହା ଜଣାଇବା ଲୋକଙ୍କୁ କହିଲା, “ଦେଖ! ତୁମ୍ଭେ ଏହା ଦେଖିଲ, ମାତ୍ର କାହିଁକି ତୁମ୍ଭେ ସେଠାରେ ତାଙ୍କୁ ମାରି ଭୂମିରେ ପକାଇ ନ ଦେଲ? ତାହା କରିଥିଲେ, ମୁଁ ତୁମ୍ଭକୁ ଦଶ ଖଣ୍ଡ ରୂପା ଓ ଏକ କଟିବନ୍ଧନ ଦେଇଥାʼନ୍ତି।”
12ତହିଁରେ ସେହି ବ୍ୟକ୍ତି ଯୋୟାବକୁ କହିଲା, “ମୁଁ ଆପଣା ଅଞ୍ଜଳିରେ ସହସ୍ର ଖଣ୍ଡ ରୂପା ପ୍ରାପ୍ତ ହେଲେ ହେଁ ସେହି ରାଜପୁତ୍ର ବିରୁଦ୍ଧରେ ଆପଣା ହସ୍ତ ପ୍ରସାର କରନ୍ତି ନାହିଁ, କାରଣ ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ରାଜା ତୁମ୍ଭକୁ ଓ ଅବୀଶୟକୁ ଓ ଇତ୍ତୟକୁ ଏହି ଆଜ୍ଞା ଦେଇଥିଲେ, ‘ତୁମ୍ଭେମାନେ କେହି ଯୁବା ଅବଶାଲୋମଙ୍କୁ ସ୍ପର୍ଶ କରିବ ନାହିଁ।’