22ତହୁଁ ସାଦୋକର ପୁତ୍ର ଅହୀମାସ୍ ପୁନର୍ବାର ଯୋୟାବଙ୍କୁ କହିଲା, “ଯାହାହେଉ, ବିନୟ କରୁଅଛି, ମୁଁ ମଧ୍ୟ ସେହି କୂଶୀୟର ପଛେ ଦୌଡ଼େ।” ତହିଁରେ ଯୋୟାବ କହିଲା, “ମୋʼ ପୁତ୍ର, ତୁମ୍ଭେ କାହିଁକି ଦୌଡ଼ିବ, କାରଣ ସେହି ସମ୍ବାଦ ପାଇଁ ତୁମ୍ଭେ ତ କୌଣସି ପୁରସ୍କାର ପାଇବ ନାହଁ?”
23ମାତ୍ର ସେ କହିଲା, “ଯାହାହେଉ, ମୁଁ ଦୌଡ଼ୁଅଛି।” ତହିଁରେ ଯୋୟାବ ତାହାକୁ କହିଲା, “ଦୌଡ଼।” ତହୁଁ ଅହୀମାସ୍ ପ୍ରାନ୍ତର-ପଥ ଦେଇ ଦୌଡ଼ି କୂଶୀୟକୁ ପଛରେ ପକାଇ ଗଲା।
24ଏହି ସମୟରେ ନଗରର ଦ୍ୱାରଦ୍ୱୟର ମଧ୍ୟସ୍ଥାନରେ ଦାଉଦ ବସିଥିଲେ; ଏଥିରେ ପ୍ରହରୀ ଦ୍ୱାରଛାତର କାନ୍ଥ ଉପରକୁ ଯାଇ ଅନାଇ ଦେଖନ୍ତେ, ଦେଖ, ଜଣେ ଲୋକ ଏକାକୀ ଦୌଡ଼ି ଆସୁଅଛି।
25ତହୁଁ ପ୍ରହରୀ ଉଚ୍ଚସ୍ୱରରେ ରାଜାଙ୍କୁ ତାହା ଜଣାନ୍ତେ, ରାଜା କହିଲେ, “ଯଦି ସେ ଏକାକୀ ଅଛି, ତେବେ ତାହା ମୁଖରେ ସୁସମ୍ବାଦ ଅଛି।” ଏଥିରେ ସେ ଆସୁ ଆସୁ ସହରର ନିକଟବର୍ତ୍ତୀ ହେଲା।
26ଏଉତ୍ତାରେ ପ୍ରହରୀ ଆଉ ଜଣକୁ ଦୌଡ଼ି ଆସୁଥିବାର ଦେଖିଲା; ତହିଁରେ ପ୍ରହରୀ ଉଚ୍ଚସ୍ୱରରେ ଦ୍ୱାରୀକୁ ଡାକି କହିଲା, “ଦେଖ, ଆଉ ଜଣେ ଏକାକୀ ଦୌଡ଼ି ଆସୁଅଛି।” ତହିଁରେ ରାଜା କହିଲେ, “ସେ ମଧ୍ୟ ସୁସମ୍ବାଦ ଆଣୁଅଛି।”