22ଏଥିରେ ଦାଉଦ କହିଲେ, “ହେ ସରୁୟାର ପୁତ୍ରଗଣ, ତୁମ୍ଭମାନଙ୍କ ସହିତ ଆମ୍ଭର ବିଷୟ କʼଣ ଯେ, ତୁମ୍ଭେମାନେ ଆଜି ମୋର ବିପକ୍ଷ ହେଉଅଛ? ଆଜି ଇସ୍ରାଏଲ ମଧ୍ୟରେ କʼଣ କାହାରି ପ୍ରାଣଦଣ୍ଡ ହେବ? ଆଜି ମୁଁ ଇସ୍ରାଏଲ ଉପରେ ରାଜା ଅଟେ, ଏହା କʼଣ ମୁଁ ଜାଣୁ ନାହିଁ?”
23ତହୁଁ ରାଜା ଶିମୀୟିଙ୍କୁ କହିଲେ, “ତୁମ୍ଭେ ମରିବ ନାହିଁ।” ପୁଣି ରାଜା ତାହା ନିକଟରେ ଶପଥ କଲେ।
24ଏଉତ୍ତାରେ ଶାଉଲଙ୍କ ପୌତ୍ର ମଫୀବୋଶତ୍ ରାଜାଙ୍କୁ ସାକ୍ଷାତ କରିବା ପାଇଁ ଆସିଲା; ଆଉ ରାଜା ପ୍ରସ୍ଥାନ କରିବା ଦିନଠାରୁ କୁଶଳରେ ଗୃହକୁ ଆସିବା ଦିନ ପର୍ଯ୍ୟନ୍ତ ମଫୀବୋଶତ୍ ଆପଣା ପାଦ ପରିଷ୍କାର କରି ନ ଥିଲା, କି ଦାଢ଼ି କ୍ଷୌର ହୋଇ ନ ଥିଲା, କିଅବା ଆପଣା ବସ୍ତ୍ର ଧୌତ କରି ନ ଥିଲା।
25ପୁଣି ସେ ରାଜାଙ୍କୁ ଭେଟିବା ପାଇଁ ଯିରୂଶାଲମକୁ ଆସନ୍ତେ, ରାଜା ତାହାକୁ କହିଲେ, “ମଫୀବୋଶତ୍, ତୁମ୍ଭେ କାହିଁକି ମୋʼ ସଙ୍ଗରେ ଗଲ ନାହିଁ?”
26ତହିଁରେ ସେ ଉତ୍ତର କଲା, “ହେ ମୋହର ପ୍ରଭୋ, ମହାରାଜ, ଆପଣଙ୍କ ଦାସ ତ ଛୋଟା, ‘ଗର୍ଦ୍ଦଭ ସଜାଇ ତାହା ଉପରେ ଚଢ଼ି ମହାରାଜଙ୍କ ନିକଟକୁ ଯିବା ପାଇଁ ମୋହର ମନସ୍ଥ ଥିଲା,’ ମାତ୍ର ମୋହର ଦାସ ମୋତେ ପ୍ରବଞ୍ଚନା କଲା।