1ସେହି ସମୟରେ ବିନ୍ୟାମୀନୀୟ ବିଖ୍ରିର ପୁତ୍ର ଶେବଃ ନାମରେ ଜଣେ ଅସୁବିଧା ସୃଷ୍ଟିକାରୀ ଲୋକ ସେଠାରେ ଥିଲା; ପୁଣି ସେ ତୂରୀ ବଜାଇ କହିଲା, “ଦାଉଦଠାରେ ଆମ୍ଭମାନଙ୍କର କୌଣସି ଅଂଶ ନାହିଁ, କିଅବା ଯିଶୀର ପୁତ୍ରଠାରେ ଆମ୍ଭମାନଙ୍କର ଅଧିକାର ନାହିଁ; ହେ ଇସ୍ରାଏଲ, ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ଚାଲ।”
2ତହିଁରେ ସମଗ୍ର ଇସ୍ରାଏଲ ଲୋକ ଦାଉଦଙ୍କର ପଶ୍ଚାତ୍ଗମନରୁ ଫେରି ବିଖ୍ରିିର ପୁତ୍ର ଶେବଃର ପଶ୍ଚାତ୍ଗମନ କଲେ; ମାତ୍ର ଯର୍ଦ୍ଦନଠାରୁ ଯିରୂଶାଲମ ପର୍ଯ୍ୟନ୍ତ ଯିହୁଦା-ଲୋକମାନେ ଆପଣା ରାଜାଙ୍କଠାରେ ଆସକ୍ତ ରହିଲେ।
3ଏଉତ୍ତାରେ ଦାଉଦ ଯିରୂଶାଲମର ଆପଣା ପ୍ରାସାଦକୁ ଆସିଲେ; ପୁଣି ରାଜା ଆପଣାର ଯେଉଁ ଦଶ ଉପପତ୍ନୀଙ୍କୁ ପ୍ରାସାଦ ଜଗିବାକୁ ଛାଡ଼ି ଯାଇଥିଲେ, ସେମାନଙ୍କୁ ପ୍ରହରୀ-ଗୃହରେ ରଖି ଖାଦ୍ୟ ଯୋଗାଇଲେ, ମାତ୍ର ସେମାନଙ୍କ ସହିତ ସହବାସ କଲେ ନାହିଁ। ଏଣୁ ସେମାନେ ମରଣ ଦିନ ପର୍ଯ୍ୟନ୍ତ ରୁଦ୍ଧ ହୋଇ ବିଧବା ପରି ରହିଲେ।
4ଏଉତ୍ତାରେ ରାଜା ଅମାସାଙ୍କୁ କହିଲେ, “ତିନି ଦିନ ମଧ୍ୟରେ ଯିହୁଦାର ଲୋକମାନଙ୍କୁ ଡକାଇ ମୋʼ ଠାରେ ଏକତ୍ର କର ଓ ତୁମ୍ଭେ ମଧ୍ୟ ଉପସ୍ଥିତ ହୁଅ।”
5ତହିଁରେ ଅମାସା ଯିହୁଦାର ଲୋକମାନଙ୍କୁ ଡାକି ଏକତ୍ର କରିବାକୁ ଗଲା; ମାତ୍ର ସେ ରାଜାଙ୍କ ଦତ୍ତ ନିରୂପିତ ସମୟରୁ ଅଧିକ ବିଳମ୍ବ କଲା।