15ଏଥିଉତ୍ତାରେ ପଲେଷ୍ଟୀୟମାନଙ୍କର ଇସ୍ରାଏଲ ସହିତ ପୁନର୍ବାର ଯୁଦ୍ଧ ହେଲା; ପୁଣି ଦାଉଦ ଓ ତାଙ୍କ ସଙ୍ଗେ ତାଙ୍କର ସୈନ୍ୟମାନେ ଯାଇ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ କଲେ; ତହିଁରେ ଦାଉଦ କ୍ଳାନ୍ତ ହେଲେ।
16ସେସମୟରେ ଇଶ୍ବୀ ବନୋବ୍ ନାମରେ ତିନି ଶହ ଶେକଲ ପରିମିତ ପିତ୍ତଳମୟ ବର୍ଚ୍ଛାଧାରୀ ଦୀର୍ଘକାୟ ବଂଶଜାତ ଜଣେ ନୂତନ ଖଡ୍ଗରେ ସସଜ୍ଜ ହୋଇ ଦାଉଦଙ୍କୁ ଆଘାତ କରିବାକୁ ମନସ୍ଥ କଲା।
17ମାତ୍ର ସରୁୟାର ପୁତ୍ର ଅବୀଶୟ ଦାଉଦଙ୍କର ସାହାଯ୍ୟ କଲା ଓ ସେହି ପଲେଷ୍ଟୀୟକୁ ଆଘାତ କରି ବଧ କଲା। ସେତେବେଳେ ଦାଉଦଙ୍କର ଲୋକମାନେ ତାଙ୍କ ନିକଟରେ ଶପଥ କରି କହିଲେ, “ଯେପରି ତୁମ୍ଭେ ଇସ୍ରାଏଲର ପ୍ରଦୀପ ନ ଲିଭାଅ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆଉ ଯୁଦ୍ଧକୁ ଯିବ ନାହିଁ।”
18ଏଥିଉତ୍ତାରେ ପୁନର୍ବାର ଗୋବ୍ରେ ପଲେଷ୍ଟୀୟମାନଙ୍କ ସହିତ ଯୁଦ୍ଧ ହେଲା; ତହିଁରେ ହୂଶାତୀୟ ସିବ୍ବଖୟ ଦୀର୍ଘକାୟ ବଂଶଜାତ ସଫକୁ ବଧ କଲା।
19ଏଉତ୍ତାରେ ପୁନର୍ବାର ପଲେଷ୍ଟୀୟମାନଙ୍କ ସହିତ ଗୋବ୍ରେ ଯୁଦ୍ଧ ହେଲା; ତହିଁରେ ବେଥଲିହିମୀୟ ଯାରେ-ଓରଗୀମର ପୁତ୍ର ଇଲ୍ହାନନ୍, ତନ୍ତୀ ନରାଜ ତୁଲ୍ୟ ବର୍ଚ୍ଛାଧାରୀ ଗାଥୀୟ ଗଲୀୟାତକୁ ବଧ କଲା।