17ପୁଣି ସେ କହିଲେ, “ହେ ସଦାପ୍ରଭୋ, ମୁଁ ଯେ ଏ କର୍ମ କରିବି, ଏହା ମୋʼ ଠାରୁ ଦୂର ହେଉ; ପ୍ରାଣପଣରେ ଗମନକାରୀ ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? ଏଣୁ ସେ ତାହା ପାନ କରିବାକୁ ସମ୍ମତ ନୋହିଲେ।” ଏହି ସକଳ କର୍ମ ସେହି ତିନି ବୀର କରିଥିଲେ।
18ସେହି ତିନି ଜଣଙ୍କ ମଧ୍ୟରେ ସରୁୟାର ପୁତ୍ର ଯୋୟାବର ଭ୍ରାତା ଅବୀଶୟ ପ୍ରଧାନ ଥିଲା। ସେ ତିନି ଶହ ଲୋକ ବିରୁଦ୍ଧରେ ଆପଣା ବର୍ଚ୍ଛା ଉଠାଇ ସେମାନଙ୍କୁ ବଧ କରିଥିଲା, ଏଣୁ ସେ ଏହି ତିନିଙ୍କ ମଧ୍ୟରେ ନାମ ପାଇଲା।
19ଏହି ତିନିଙ୍କ ମଧ୍ୟରେ ସେ କʼଣ ଅତ୍ୟନ୍ତ ମର୍ଯ୍ୟାଦାପନ୍ନ ନ ଥିଲା? ଏହେତୁ ସେ ସେମାନଙ୍କର ସେନାପତି ହେଲା; ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା।
20ଆଉ ପରାକ୍ରାନ୍ତ କର୍ମକାରୀ କବ୍ସେଲୀୟ ଏକ ବିକ୍ରମୀ ପୁରୁଷର ପୌତ୍ର, ଯିହୋୟାଦାର ପୁତ୍ର ଯେ ବନାୟ, ସେ ମୋୟାବୀୟ ଅରୀୟଲର ଦୁଇ ପୁତ୍ରଙ୍କୁ ବଧ କଲା; ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା।
21ଆହୁରି ସେ ଏକ ଜଣ ମିସରୀୟ ବଳବାନ ପୁରୁଷକୁ ବଧ କଲା ଓ ସେହି ମିସରୀୟ ଆପଣା ହସ୍ତରେ ବର୍ଚ୍ଛା ଧରିଥିଲା; ତଥାପି ବନାୟ ଏକ ଯଷ୍ଟି ନେଇ ତାହା ନିକଟକୁ ଗଲା ଓ ସେହି ମିସରୀୟ ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା।