1ଏଥିଉତ୍ତାରେ ଇସ୍ରାଏଲ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପୁନର୍ବାର ପ୍ରଜ୍ୱଳିତ ହେଲା, ଆଉ ସେ ଦାଉଦଙ୍କୁ ପ୍ରବର୍ତ୍ତାଇ କହିଲେ, “ଯାଅ, ଇସ୍ରାଏଲ ଓ ଯିହୁଦାକୁ ଗଣନା କର।”
2ତହିଁରେ ରାଜା ଆପଣା ନିକଟସ୍ଥ ସେନାପତି ଯୋୟାବଙ୍କୁ କହିଲେ; “ତୁମ୍ଭେମାନେ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟଦେଇ ଭ୍ରମଣ କରି ଲୋକମାନଙ୍କୁ ଗଣନା କର, ତାହାହେଲେ ମୁଁ ଲୋକମାନଙ୍କର ସଂଖ୍ୟା ଜାଣି ପାରିବି।”
3ଏଥିରେ ଯୋୟାବ ରାଜାଙ୍କୁ କହିଲା, “ଏବେ ଯେତେ ଲୋକ ଅଛନ୍ତି; ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ସେମାନଙ୍କୁ ଶତଗୁଣ ବୃଦ୍ଧି କରନ୍ତୁ ଓ ମୋʼ ପ୍ରଭୁ ମହାରାଜଙ୍କ ଚକ୍ଷୁ ତାହା ଦେଖୁ; ମାତ୍ର ମୋʼ ପ୍ରଭୁ ମହାରାଜ ଏପରି କରିବା ପାଇଁ କାହିଁକି ଚାହୁଁଅଛନ୍ତି?”