6ତହିଁ ଉତ୍ତାରେ ସେମାନେ ଗିଲୀୟଦକୁ ଓ ତହତୀମ୍-ହଦ୍ଶି ଦେଶକୁ ଆସିଲେ; ତହୁଁ ସେମାନେ ଦାନ୍-ଯାନକୁ ଓ ସେଠାରୁ ବୁଲି ସୀଦୋନକୁ ଆସିଲେ।
7ତହୁଁ ସୋର ଗଡ଼ରେ ଓ ହିବ୍ବୀୟମାନଙ୍କର ଓ କିଣାନୀୟମାନଙ୍କ ସମସ୍ତ ନଗରରେ ଉପସ୍ଥିତ ହେଲେ; ପୁଣି ସେମାନେ ବେର୍ଶେବାରେ ଯିହୁଦାର ଦକ୍ଷିଣାଞ୍ଚଳକୁ ବାହାରିଗଲେ।
8ଏହିରୂପେ ସେମାନେ ସମୁଦାୟ ଦେଶ ଦେଇ ଭ୍ରମଣ କଲା ଉତ୍ତାରେ ନଅ ମାସ କୋଡ଼ିଏ ଦିନର ଶେଷରେ ଯିରୂଶାଲମରେ ଉପସ୍ଥିତ ହେଲେ।
9ତହିଁରେ ଯୋୟାବ ଗଣିତ ଯୋଦ୍ଧାମାନଙ୍କ ସଂଖ୍ୟା ରାଜାଙ୍କ ନିକଟରେ ସମର୍ପଣ କଲା; ଇସ୍ରାଏଲର ଖଡ୍ଗଧାରୀ ଆଠ ଲକ୍ଷ ବଳବାନ ଲୋକ ଓ ଯିହୁଦାର ପାଞ୍ଚ ଲକ୍ଷ ଲୋକ ଥିଲେ।
10ଏହିରୂପେ ଦାଉଦ ଲୋକମାନଙ୍କୁ ଗଣନା କରାଇଲା ଉତ୍ତାରେ ତାଙ୍କ ହୃଦୟ ତାଙ୍କୁ ଆଘାତ କଲା। ତହୁଁ ଦାଉଦ ସଦାପ୍ରଭୁଙ୍କୁ କହିଲେ, “ଏହି କର୍ମ କରିବାରେ ମୁଁ ମହାପାପ କରିଅଛି; ମାତ୍ର ଏବେ ହେ ସଦାପ୍ରଭୋ, ବିନୟ କରୁଅଛି, ନିଜ ଦାସର ଅପରାଧ କ୍ଷମା କର; କାରଣ ମୁଁ ଅତି ମୂର୍ଖର କର୍ମ କରିଅଛି।”