19ତଥାପି, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭ ଦୃଷ୍ଟିରେ ଏହା ହିଁ କ୍ଷୁଦ୍ର ବିଷୟ ହେଲା; ଏହେତୁ ତୁମ୍ଭେ ଆପଣା ଦାସର ବଂଶ ବିଷୟରେ ଆଗତ ଦୀର୍ଘକାଳର କଥା ମଧ୍ୟ କହିଅଛ; ହେ ପ୍ରଭୋ ସଦାପ୍ରଭୋ, ଏହା କʼଣ ମନୁଷ୍ୟର ବ୍ୟବସ୍ଥା?
20ଏଣୁ ଦାଉଦ ତୁମ୍ଭକୁ ଆଉ କଅଣ କହିପାରେ? କାରଣ ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଆପଣା ଦାସକୁ ଜାଣୁଅଛ।
21ତୁମ୍ଭେ ନିଜ ବାକ୍ୟ ସକାଶୁ ଓ ନିଜ ଇଚ୍ଛାନୁସାରେ ଏହିସବୁ ମହାନ କାର୍ଯ୍ୟ କରି ଆପଣା ଦାସକୁ ଜଣାଇଅଛ।
22ଏହେତୁ ହେ ସଦାପ୍ରଭୋ ପରମେଶ୍ୱର, ତୁମ୍ଭେ ମହାନ; କାରଣ ତୁମ୍ଭ ତୁଲ୍ୟ ଆଉ କେହି ନାହିଁ, କିଅବା ଆମ୍ଭେମାନେ ନିଜ କର୍ଣ୍ଣରେ ଯାହା ଶୁଣିଅଛୁ, ତଦନୁସାରେ ତୁମ୍ଭ ଛଡ଼ା ଆଉ ପରମେଶ୍ୱର କେହି ନାହିଁ।
23ତୁମ୍ଭ ଲୋକ ଇସ୍ରାଏଲ ତୁଲ୍ୟ ପୃଥିବୀରେ ଆଉ କେଉଁ ଗୋଷ୍ଠୀ ଅଛି? ସେମାନଙ୍କୁ ଆପଣା ଉଦ୍ଦେଶ୍ୟରେ ଏକ ଲୋକ ରୂପେ ମୁକ୍ତ କରିବାକୁ, ଓ ଆପଣା ନାମ କରିବାକୁ ପୁଣି ମିସରରୁ, ନାନା ଗୋଷ୍ଠୀ ଓ ସେମାନଙ୍କ ଦେବଗଣଠାରୁ ତୁମ୍ଭ ଉଦ୍ଦେଶ୍ୟରେ ମୁକ୍ତ ତୁମ୍ଭର ସେହି ଲୋକମାନଙ୍କ ସମ୍ମୁଖରେ ସେମାନଙ୍କ ପାଇଁ ମହତ୍ କର୍ମ ଓ ତୁମ୍ଭ ଦେଶ ପାଇଁ ଭୟାନକ କର୍ମ କରିବାକୁ ପରମେଶ୍ୱର ଆଗମନ କରିଥିଲେ।