1ପ୍ରଭୁ ସଦାପ୍ରଭୁ ମୋତେ ଏରୂପ ଦେଖାଇଲେ; ଆଉ ଦେଖ, ବିଳମ୍ବରେ ଉତ୍ପନ୍ନ ତୃଣ ଅଙ୍କୁରିବା ଆରମ୍ଭରେ ସେ ପଙ୍ଗପାଳମାନଙ୍କୁ ଗଢ଼ିଲେ ଓ ଦେଖ, ରାଜାଙ୍କ ତୃଣ କଟାଗଲା ଉତ୍ତାରେ ସେହି ବିଳମ୍ବରେ ଉତ୍ପନ୍ନ ତୃଣ ବଢ଼ୁଥିଲା।
2ପୁଣି, ସେହି ପଙ୍ଗପାଳମାନେ ଦେଶର ତୃଣ ଖାଇବାର ଶେଷ କଲା ଉତ୍ତାରେ ମୁଁ କହିଲି, “ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭକୁ ବିନୟ କରୁଅଛି, କ୍ଷମା କର! ଯାକୁବ କିପରି ଠିଆ ହେବ? କାରଣ ସେ ସାନ।”
3ସଦାପ୍ରଭୁ ସେ ବିଷୟରେ ଦୁଃଖିତ ହେଲେ; “ଏହା ହେବ ନାହିଁ,” ଏହା ସଦାପ୍ରଭୁ କହନ୍ତି।
4ପ୍ରଭୁ ସଦାପ୍ରଭୁ ମୋତେ ଏହିରୂପେ ଦେଖାଇଲେ; ଆଉ ଦେଖ, ପ୍ରଭୁ ସଦାପ୍ରଭୁ ଅଗ୍ନି ଦ୍ୱାରା ବିବାଦ କରିବା ପାଇଁ ଆହ୍ୱାନ କଲେ; ତହିଁରେ ତାହା ମହାସାଗରକୁ ଗ୍ରାସ କଲା, ଆଉ ଭୂମିକୁ ଗ୍ରାସ କରିଥାʼନ୍ତା।
5ଏପରି ସମୟରେ ମୁଁ କହିଲି, “ହେ ପ୍ରଭୁ, ସଦାପ୍ରଭୁ, ବିନୟ କରେ, କ୍ଷାନ୍ତ ହୁଅ; ଯାକୁବ କିପରି ଠିଆ ହେବ? କାରଣ ସେ ସାନ।”