10ଏହି ସମୟରେ ରାଜାର ଓ ତାହାର ଅମାତ୍ୟଗଣର କଥା ସକାଶୁ ରାଣୀ ଭୋଜନଶାଳାକୁ ଆସିଲା; ରାଣୀ କହିଲା, “ହେ ରାଜନ୍, ଚିରଜୀବୀ ହେଉନ୍ତୁ; ଆପଣଙ୍କର ଭାବନା ଆପଣଙ୍କୁ ଉଦ୍ବିଗ୍ନ ନ କରୁ, ଅଥବା ଆପଣଙ୍କ ମୁଖ ବିବର୍ଣ୍ଣ ନ ହେଉ।
11ଆପଣଙ୍କ ରାଜ୍ୟ ମଧ୍ୟରେ ଏକ ଲୋକ ଅଛନ୍ତି, ତାଙ୍କ ଅନ୍ତରରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି; ପୁଣି, ଆପଣଙ୍କ ପିତାଙ୍କ ସମୟରେ ଦେବଗଣର ଜ୍ଞାନ ତୁଲ୍ୟ ଜ୍ଞାନଦୀପ୍ତି ଓ ବୁଦ୍ଧି ଓ ଜ୍ଞାନ ତାଙ୍କଠାରେ ଦେଖା ଯାଇଥିଲା; ଆଉ, ଆପଣଙ୍କ ପିତା ରାଜା ନବୂଖଦ୍ନିତ୍ସର, ହଁ, ଆପଣଙ୍କ ପିତା ରାଜା, ତାଙ୍କୁ ମନ୍ତ୍ରବେତ୍ତା, ଗଣକ, କଲ୍ଦୀୟ ଓ ଶୁଭାଶୁଭବାଦୀମାନଙ୍କ ଉପରେ ପ୍ରଧାନ କରି ନିଯୁକ୍ତ କରିଥିଲେ;
12କାରଣ ସେହି ଦାନିୟେଲଙ୍କ ଅନ୍ତରରେ ଶ୍ରେଷ୍ଠ ଆତ୍ମା, ଜ୍ଞାନ ଓ ବୁଦ୍ଧି, ସ୍ୱପ୍ନ ଅର୍ଥ କରିବାର ଓ ଗୂଢ଼ ବାକ୍ୟ ପ୍ରକାଶ କରିବାର ଓ ସନ୍ଦେହ ଭଞ୍ଜନ କରିବାର ଶକ୍ତି ଦେଖା ଯାଇଥିଲା, ରାଜା ତାଙ୍କୁ ବେଲ୍ଟଶତ୍ସର ନାମ ଦେଇଥିଲେ। ଏବେ ଦାନିୟେଲଙ୍କୁ ଡକାଯାଉ, ସେ ଅର୍ଥ ପ୍ରକାଶ କରିବେ।”
13ତହୁଁ ଦାନିୟେଲଙ୍କୁ ରାଜାର ଛାମୁକୁ ଅଣାଗଲା ରାଜା ଦାନିୟେଲଙ୍କୁ କହିଲା, “ମୋର ପିତା ମହାରାଜା ଯିହୁଦା ଦେଶରୁ ଯେଉଁମାନଙ୍କୁ ଆଣିଥିଲେ, ସେହି ନିର୍ବାସିତ ଯିହୁଦୀ ଲୋକମାନଙ୍କ ମଧ୍ୟରେ ଯେଉଁ ଦାନିୟେଲ ଥିଲେ, ସେ କି ତୁମ୍ଭେ?
14ମୁଁ ତୁମ୍ଭ ବିଷୟରେ ଶୁଣିଅଛି ଯେ, ତୁମ୍ଭ ଅନ୍ତରରେ ଦେବଗଣର ଆତ୍ମା ଅଛନ୍ତି, ଆଉ ଜ୍ଞାନ ଓ ଦୀପ୍ତି, ବୁଦ୍ଧି ଓ ଶ୍ରେଷ୍ଠ ଜ୍ଞାନ ତୁମ୍ଭଠାରେ ଦେଖାଯାଏ।