13ମୋଶାଙ୍କ ବ୍ୟବସ୍ଥାର ଲିଖନାନୁସାରେ ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି; ତଥାପି ଆମ୍ଭେମାନେ ଆପଣା ଆପଣା ଅଧର୍ମରୁ ଫେରିବା ପାଇଁ ଓ ତୁମ୍ଭର ସତ୍ୟତା ବୁଝିବା ପାଇଁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କରି ନାହୁଁ।
14ଏନିମନ୍ତେ ସଦାପ୍ରଭୁ ଅମଙ୍ଗଳାର୍ଥେ ଜାଗ୍ରତ ହୋଇ ଆମ୍ଭମାନଙ୍କ ପ୍ରତି ତାହା ଘଟାଇଅଛନ୍ତି; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯାହା ଯାହା କରନ୍ତି, ଆପଣାର ସେହି ସକଳ କାର୍ଯ୍ୟରେ ସେ ଧାର୍ମିକ ଅଟନ୍ତି, ମାତ୍ର ଆମ୍ଭେମାନେ ତାହାଙ୍କ ରବରେ ମନୋଯୋଗ କରି ନାହୁଁ।
15ଏଣୁ ଏବେ ହେ ପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ବଳବାନ ହସ୍ତ ଦ୍ୱାରା ମିସର ଦେଶରୁ ଆପଣା ଲୋକମାନଙ୍କୁ ବାହାର କରି ଆଣି ଆଜିକାର ନ୍ୟାୟ କୀର୍ତ୍ତି ଲାଭ କରିଅଛ; ଆମ୍ଭେମାନେ ପାପ କରିଅଛୁ, ଆମ୍ଭେମାନେ ଦୁଷ୍କର୍ମ କରିଅଛୁ।
16ହେ ପ୍ରଭୁ, ବିନୟ କରେ, ତୁମ୍ଭର ସମସ୍ତ ଧାର୍ମିକତାନୁସାରେ, ତୁମ୍ଭର ନଗର ଯିରୂଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କ୍ରୋଧ ଓ କୋପ ନିବୃତ୍ତ ହେଉ; କାରଣ ଆମ୍ଭମାନଙ୍କର ପାପ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣର ଅଧର୍ମ ସକାଶୁ ଯିରୂଶାଲମ ଓ ତୁମ୍ଭର ଲୋକମାନେ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ଲୋକଙ୍କର ନିନ୍ଦାର ପାତ୍ର ହୋଇଅଛନ୍ତି।
17ଏହେତୁ ହେ ଆମ୍ଭମାନଙ୍କର ପରମେଶ୍ୱର, ଏବେ ତୁମ୍ଭ ଦାସର ପ୍ରାର୍ଥନା ଓ ବିନତିରେ କର୍ଣ୍ଣପାତ କର ଓ ତୁମ୍ଭର ଏହି ଯେଉଁ ଧର୍ମଧାମ ଧ୍ୱଂସିତ ହୋଇଅଛି, ତହିଁ ପ୍ରତି ପ୍ରଭୁଙ୍କ ସକାଶେ ଆପଣା ମୁଖ ପ୍ରସନ୍ନ କର।