23ତେବେ ଆମ୍ଭେ ଏହି କଥାରେ ସନ୍ତୁଷ୍ଟ ହେଲୁ, ପୁଣି ଆମ୍ଭେ ତୁମ୍ଭମାନଙ୍କର ପ୍ରତ୍ୟେକ ବଂଶ ନିମନ୍ତେ ଜଣେ ଲେଖାଏଁ ବାର ଜଣଙ୍କୁ ନେଲୁ।
24ତହୁଁ ସେମାନେ ଗମନ କରି ପର୍ବତ ପାର ହୋଇ ଇଷ୍କୋଲ-ଉପତ୍ୟକାରେ ପହଞ୍ଚି ଦେଶର ଅନୁସନ୍ଧାନ କଲେ।
25ଆଉ ସେମାନେ ହସ୍ତରେ ସେହି ଦେଶର କିଛି କିଛି ଫଳ ଘେନି ଆମ୍ଭମାନଙ୍କ ନିକଟକୁ ଆଣିଲେ ଓ ଆମ୍ଭମାନଙ୍କୁ ସମ୍ବାଦ ଦେଇ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଦେଶ ଦେବେ, ତାହା ଏକ ଉତ୍ତମ ଦେଶ।”
26ତଥାପି ତୁମ୍ଭେମାନେ ଯିବାକୁ ସମ୍ମତ ହେଲ ନାହିଁ, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାର ବିଦ୍ରୋହାଚରଣ କଲ।
27ପୁଣି ତୁମ୍ଭେମାନେ ଆପଣା ଆପଣା ତମ୍ବୁରେ ବଚସା କରି କହିଲ, “ସଦାପ୍ରଭୁ ଆମ୍ଭମାନଙ୍କୁ ଘୃଣା କରିବା ସକାଶୁ ଇମୋରୀୟମାନଙ୍କ ହସ୍ତରେ ସମର୍ପଣ କରି ବିନାଶ କରିବା ନିମନ୍ତେ ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଅଛନ୍ତି।