1ଆବୀବ୍ ମାସକୁ ମାନ୍ୟ କର ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କର; କାରଣ ଆବୀବ୍ ମାସରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ରାତ୍ରିକାଳରେ ମିସରରୁ ବାହାର କରି ଆଣିଲେ।
2ପୁଣି ସଦାପ୍ରଭୁ ଆପଣା ନାମ ପ୍ରତିଷ୍ଠା କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋମେଷାଦି ପଲରୁ ନିସ୍ତାରପର୍ବୀୟ ବଳିଦାନ କରିବ।
3ତୁମ୍ଭେ ତାହା ସହିତ ତାଡ଼ିଯୁକ୍ତ କିଛି ଭୋଜନ କରିବ ନାହିଁ; ତୁମ୍ଭେ ସାତ ଦିନ ପର୍ଯ୍ୟନ୍ତ ତାହା ସହିତ ତାଡ଼ିଶୂନ୍ୟ, ଅର୍ଥାତ୍, ଦୁଃଖରୂପ ରୁଟି ଭୋଜନ କରିବ; କାରଣ ତୁମ୍ଭେ ତରତର ହୋଇ ମିସରରୁ ବାହାର ହୋଇଥିଲ; ଏଣୁ ତୁମ୍ଭେ ଯାବଜ୍ଜୀବନ ମିସର ଦେଶରୁ ଆପଣା ବାହାରିବାର ଦିନ ସ୍ମରଣ କରିବ।
4ପୁଣି ସାତ ଦିନ ତୁମ୍ଭର ସମସ୍ତ ଅଞ୍ଚଳରେ ତାଡ଼ି ଦେଖା ନ ଯାଉ ଅବା ପ୍ରଥମ ଦିନର ସନ୍ଧ୍ୟା ବେଳେ ତୁମ୍ଭେ ଯେଉଁ ବଳି ଉତ୍ସର୍ଗ କରିବ, ତହିଁର କିଛି ମାଂସ ରାତ୍ରିଯାକ ପ୍ରଭାତ ପର୍ଯ୍ୟନ୍ତ ଅବଶିଷ୍ଟ ନ ରହୁ।
5ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଯେଉଁ ନଗର-ଦ୍ୱାର ଦେବେ, ତହିଁର କୌଣସି ଦ୍ୱାର ମଧ୍ୟରେ ତୁମ୍ଭେ ନିସ୍ତାରପର୍ବୀୟ ବଳିଦାନ କରି ପାରିବ ନାହିଁ।