11ବ୍ୟବସ୍ଥାର ମର୍ମ ଅନୁସାରେ ସେମାନେ ତୁମ୍ଭକୁ ଯାହା ଶିଖାଇବେ ଓ ବିଚାରର ନିଷ୍ପତ୍ତି ବିଷୟରେ ସେମାନେ ତୁମ୍ଭକୁ ଯାହା କହିବେ, ତୁମ୍ଭେ ତଦନୁସାରେ କରିବ; ସେମାନେ ତୁମ୍ଭକୁ ଯେଉଁ ନିଷ୍ପତ୍ତି ଜଣାଇବେ, ତହିଁର ଦକ୍ଷିଣକୁ କି ବାମକୁ ଫେରିବ ନାହିଁ।
12ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ସେବା କରିବା ପାଇଁ ସେହି ସ୍ଥାନରେ ଠିଆ ହେବା ଯାଜକର କି ବିଚାରକର୍ତ୍ତାର ବାକ୍ୟରେ କର୍ଣ୍ଣପାତ ନ କରି ଯେଉଁ ଲୋକ ଦୁଃସାହସରେ କର୍ମ କରେ, ସେହି ଲୋକ ହତ ହେବ; ପୁଣି ତୁମ୍ଭେ ଇସ୍ରାଏଲ ମଧ୍ୟରୁ ଏହି ଦୁଷ୍ଟତା ଦୂର କରିବ।
13ତହିଁରେ ସମସ୍ତ ଲୋକ ତାହା ଶୁଣି ଭୟ କରିବେ ଓ ଦୁଃସାହସରେ ଆଉ କର୍ମ କରିବେ ନାହିଁ।
14ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦିଅନ୍ତି, ଯେତେବେଳେ ତୁମ୍ଭେ ତହିଁରେ ପ୍ରବେଶ କରି ତାହା ଅଧିକାର କରିବ ଓ ତହିଁ ମଧ୍ୟରେ ବାସ କରିବ; “ଆଉ ଆମ୍ଭର ଚତୁର୍ଦ୍ଦିଗସ୍ଥିତ ସକଳ ଗୋଷ୍ଠୀୟମାନଙ୍କ ପରି ଆମ୍ଭେ ମଧ୍ୟ ଆପଣା ଉପରେ ଏକ ରାଜା ନିଯୁକ୍ତ କରିବା,” ଯେବେ ଏହି କଥା କହିବ;
15ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯାହାକୁ ମନୋନୀତ କରିବେ, ତାହାକୁ ହିଁ ତୁମ୍ଭେ ଆପଣା ଉପରେ ରାଜା କରିବ; ତୁମ୍ଭେ ଆପଣା ଭ୍ରାତୃଗଣ ମଧ୍ୟରୁ ଜଣକୁ ଆପଣା ଉପରେ ରାଜା କରି ନିଯୁକ୍ତ କରିବ; ଯେ ତୁମ୍ଭର ଭ୍ରାତା ନୁହେଁ, ଏପରି ବିଦେଶୀୟ ବ୍ୟକ୍ତିକୁ ରାଜା କରି ପାରିବ ନାହିଁ।