1ଏଥିଉତ୍ତାରେ ମୋଶା ଇସ୍ରାଏଲର ପ୍ରାଚୀନବର୍ଗ ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, “ଆଜି ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେମାନେ ସେହି ସବୁ ପାଳନ କର।
2ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ତୁମ୍ଭେ ଯେଉଁ ଦିନ ଯର୍ଦ୍ଦନ ପାର ହୋଇ ସେଠାରେ ଉପସ୍ଥିତ ହେବ, ସେହି ଦିନ ଆପଣା ନିମନ୍ତେ କେତେକ ବୃହତ ପ୍ରସ୍ତର ସ୍ଥାପନ କରିବ ଓ ତାହା ଚୂନରେ ଲେପିବ।
3ପୁଣି ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପରମେଶ୍ୱର ତୁମ୍ଭ ନିକଟରେ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତଦନୁସାରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶ ଦେବେ, ତହିଁ ମଧ୍ୟରେ ତୁମ୍ଭେ ଯେପରି ପ୍ରବେଶ କରି ପାରିବ, ଏଥିପାଇଁ ପାର ହେବା ସମୟରେ ତୁମ୍ଭେ ସେହି ପ୍ରସ୍ତରଗୁଡ଼ିକ ଉପରେ ଏହି ବ୍ୟବସ୍ଥାର ସମସ୍ତ କଥା ଲେଖିବ।