1ମୁଁ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେଉଁ ଯେଉଁ ଆଜ୍ଞା ତୁମ୍ଭକୁ ଆଦେଶ କରୁଅଛି, ସେହି ସବୁ ମାନିବା ପାଇଁ ଓ କରିବା ପାଇଁ ଯଦି ତୁମ୍ଭେ ତାହାଙ୍କ ରବରେ ଯତ୍ନପୂର୍ବକ କର୍ଣ୍ଣପାତ କରିବ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା ତୁମ୍ଭକୁ ଶ୍ରେଷ୍ଠ କରିବେ।
2ଯଦି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବ ଶୁଣିବ, ତେବେ ଏହିସବୁ ଆଶୀର୍ବାଦ ତୁମ୍ଭ ଉପରେ ବର୍ତ୍ତିବ ଓ ତୁମ୍ଭର ସଙ୍ଗ ଧରିବ।
3ତୁମ୍ଭେ ନଗରରେ ଧନ୍ୟ ହେବ ଓ କ୍ଷେତ୍ରରେ ଧନ୍ୟ ହେବ।
4ତୁମ୍ଭ ଶରୀରର ଫଳ, ତୁମ୍ଭ ଭୂମିର ଫଳ ଓ ତୁମ୍ଭ ପଶୁର ଫଳ, ଅର୍ଥାତ୍, ଗୋବତ୍ସ ଓ ମେଷପଲର ଶାବକ ଧନ୍ୟ ହେବ।
5ତୁମ୍ଭ ଚାଙ୍ଗୁଡ଼ି ଓ ମଇଦା ଦଳିବା ପାତ୍ର ଧନ୍ୟ ହେବ।