22ତହିଁରେ ସଦାପ୍ରଭୁ ସେହି ଦେଶ ପ୍ରତି ଯେଉଁ ଆଘାତ କରିବେ ଓ ଯେଉଁ ରୋଗରେ ତାକୁ ରୋଗଗ୍ରସ୍ତ କରିବେ, ତାହା ଭବିଷ୍ୟତ ପୁରୁଷ, ତୁମ୍ଭ ଉତ୍ତାରେ ଉତ୍ପନ୍ନ ତୁମ୍ଭ ସନ୍ତାନସନ୍ତତି ଓ ଦୂର ଦେଶରୁ ଆଗତ ବିଦେଶୀମାନେ ଦେଖିବେ;
23ଅର୍ଥାତ୍, ସଦାପ୍ରଭୁ ଆପଣା କ୍ରୋଧ ଓ କୋପରେ ଯେଉଁ ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ନଗରମାନ ଉତ୍ପାଟନ କରିଥିଲେ, ତାହା ପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ, ଲବଣ ଓ ଦହନରେ ପରିପୂର୍ଣ୍ଣ ହୋଇଅଛି, ତହିଁରେ କିଛି ବୁଣାଯାଏ ନାହିଁ, କି ଫଳ ଉତ୍ପନ୍ନ ହୁଏ ନାହିଁ, କି ତହିଁରେ କୌଣସି ତୃଣ ବଢ଼େ ନାହିଁ (ଏସବୁ ଯେତେବେଳେ ଦେଖିବେ);
24ସେତେବେଳେ ସବୁ ଗୋଷ୍ଠୀୟ ଲୋକମାନେ କହିବେ, “ସଦାପ୍ରଭୁ ଏ ଦେଶ ପ୍ରତି କାହିଁକି ଏପରି କରିଅଛନ୍ତି? ଏରୂପ ମହାକ୍ରୋଧ ପ୍ରଜ୍ୱଳିତ ହେବାର କାରଣ କଅଣ?”
25ତହିଁରେ ଲୋକମାନେ କହିବେ, “ସଦାପ୍ରଭୁ ସେମାନଙ୍କ ପରମେଶ୍ୱର ମିସର ଦେଶରୁ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ବାହାର କରି ଆଣିବା ସମୟରେ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ, ତାହା ସେମାନେ ତ୍ୟାଗ କରିଅଛନ୍ତି।
26ସେ ଯେଉଁ ଦେବତାମାନଙ୍କୁ ନିଷିଦ୍ଧ କରିଥିଲେ ଏବଂ ସେମାନଙ୍କ ଦୃଷ୍ଟିରେ ଯେଉଁ ଦେବତାମାନେ ଅଜଣା ଥିଲେ, ସେମାନେ ଯାଇ ସେହି ଦେବତାଗଣର ସେବା କଲେ ଓ ସେମାନଙ୍କୁ ପ୍ରଣାମ କଲେ।