20ସଦାପ୍ରଭୁ ତାହାକୁ କ୍ଷମା କରିବାକୁ ସମ୍ମତ ହେବେ ନାହିଁ, ମାତ୍ର ତତ୍କ୍ଷଣେ ସେହି ଲୋକ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ଓ ଅନ୍ତର୍ଜ୍ୱାଳା ସଧୂମ ହୋଇ ଉଠିବ, ପୁଣି ଏହି ପୁସ୍ତକରେ ଲିଖିତ ସମସ୍ତ ଅଭିଶାପ ତାହା ପାଇଁ ଛକି ରହିବ, ଆଉ ସଦାପ୍ରଭୁ ଆକାଶମଣ୍ଡଳ ତଳୁ ତାହାର ନାମ ଲୋପ କରିବେ।
21ପୁଣି ଏହି ବ୍ୟବସ୍ଥା ପୁସ୍ତକର ଲିଖିତ ନିୟମର ସମସ୍ତ ଅଭିଶାପ ଅନୁସାରେ ସଦାପ୍ରଭୁ ତାହାକୁ ଇସ୍ରାଏଲର ସମସ୍ତ ବଂଶ ମଧ୍ୟରୁ ଅମଙ୍ଗଳ ନିମନ୍ତେ ପୃଥକ କରିବେ।
22ତହିଁରେ ସଦାପ୍ରଭୁ ସେହି ଦେଶ ପ୍ରତି ଯେଉଁ ଆଘାତ କରିବେ ଓ ଯେଉଁ ରୋଗରେ ତାକୁ ରୋଗଗ୍ରସ୍ତ କରିବେ, ତାହା ଭବିଷ୍ୟତ ପୁରୁଷ, ତୁମ୍ଭ ଉତ୍ତାରେ ଉତ୍ପନ୍ନ ତୁମ୍ଭ ସନ୍ତାନସନ୍ତତି ଓ ଦୂର ଦେଶରୁ ଆଗତ ବିଦେଶୀମାନେ ଦେଖିବେ;
23ଅର୍ଥାତ୍, ସଦାପ୍ରଭୁ ଆପଣା କ୍ରୋଧ ଓ କୋପରେ ଯେଉଁ ସଦୋମ ଓ ହମୋରା ଓ ଅଦ୍ମା ଓ ସବୋୟୀମ ନଗରମାନ ଉତ୍ପାଟନ କରିଥିଲେ, ତାହା ପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ, ଲବଣ ଓ ଦହନରେ ପରିପୂର୍ଣ୍ଣ ହୋଇଅଛି, ତହିଁରେ କିଛି ବୁଣାଯାଏ ନାହିଁ, କି ଫଳ ଉତ୍ପନ୍ନ ହୁଏ ନାହିଁ, କି ତହିଁରେ କୌଣସି ତୃଣ ବଢ଼େ ନାହିଁ (ଏସବୁ ଯେତେବେଳେ ଦେଖିବେ);
24ସେତେବେଳେ ସବୁ ଗୋଷ୍ଠୀୟ ଲୋକମାନେ କହିବେ, “ସଦାପ୍ରଭୁ ଏ ଦେଶ ପ୍ରତି କାହିଁକି ଏପରି କରିଅଛନ୍ତି? ଏରୂପ ମହାକ୍ରୋଧ ପ୍ରଜ୍ୱଳିତ ହେବାର କାରଣ କଅଣ?”