2ସେତେବେଳେ ସଦାପ୍ରଭୁ ମୋତେ କହିଲେ, “ତାହାକୁ ଭୟ କର ନାହିଁ; କାରଣ ଆମ୍ଭେ ତାହାକୁ ଓ ତାହାର ସମସ୍ତ ପ୍ରଜାଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ; ତୁମ୍ଭେ ଯେପରି ହିଷ୍ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନ ପ୍ରତି କରିଅଛ, ସେପରି ତାହା ପ୍ରତି ମଧ୍ୟ କରିବ।”
3ଏହିରୂପେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ମଧ୍ୟ ବାଶନ-ରାଜା ଓଗ୍କୁ ଓ ତାହାର ସମସ୍ତ ପ୍ରଜାଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ; ତହିଁରେ ଆମ୍ଭେମାନେ ତାହାକୁ ଏପରି ପରାଜୟ କଲୁ ଯେ, ତାହାର କେହି ଅବଶିଷ୍ଟ ରହିଲା ନାହିଁ।
4ସେସମୟରେ ଆମ୍ଭେମାନେ ତାହାର ସମସ୍ତ ନଗର ହସ୍ତଗତ କଲୁ, ସେମାନଙ୍କଠାରୁ ଯାହା ହସ୍ତଗତ ନ କଲୁ, ଏପରି ଗୋଟିଏ ନଗର ରହିଲା ନାହିଁ; ଷାଠିଏ ନଗର, ଅର୍ଗୋବର ସମସ୍ତ ଅଞ୍ଚଳ, ଅର୍ଥାତ୍, ବାଶନସ୍ଥ ଓଗ୍ର ରାଜ୍ୟ (ହସ୍ତଗତ କଲୁ)।
5ସେହି ସବୁ ନଗର ଉଚ୍ଚ ପ୍ରାଚୀର ଓ ଦ୍ୱାର ଓ ଅର୍ଗଳରେ ସୁରକ୍ଷିତ ଥିଲା; ତାହା ଛଡ଼ା ଅନେକ ପ୍ରାଚୀରହୀନ ନଗର ଥିଲା।
6ଆମ୍ଭେମାନେ ହିଷ୍ବୋନ-ରାଜା ସୀହୋନ ପ୍ରତି ଯେରୂପ କରିଥିଲୁ, ସେରୂପ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ, ସ୍ତ୍ରୀ ଓ ବାଳକ ସମେତ ପ୍ରତ୍ୟେକ ବସତି-ନଗର ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କଲୁ।