10ପୁଣି, ମୋଶା ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ପ୍ରତ୍ୟେକ ସାତ ବର୍ଷ ଶେଷରେ ଋଣ କ୍ଷମା ବର୍ଷର ନିରୂପିତ ସମୟରେ, ପତ୍ରକୁଟୀର ପର୍ବରେ,
11ଯେତେବେଳେ ସମୁଦାୟ ଇସ୍ରାଏଲ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ମନୋନୀତ ସ୍ଥାନରେ ତାହାଙ୍କ ସମ୍ମୁଖରେ ଉପସ୍ଥିତ ହେବେ, ସେତେବେଳେ ସମସ୍ତ ଇସ୍ରାଏଲ ସାକ୍ଷାତରେ ସେମାନଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ଏହି ବ୍ୟବସ୍ଥା ପାଠ କରିବ।
12ପୁଣି, ସେମାନେ ଯେପରି ତାହା ଶୁଣି ଶିକ୍ଷା ପାʼନ୍ତି ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରି ଏହି ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗୀ ହୁଅନ୍ତି, ଏଥିପାଇଁ ତୁମ୍ଭେମାନେ ପୁରୁଷ ଓ ସ୍ତ୍ରୀ ଓ ବାଳକ ଓ ଆପଣା ନଗରଦ୍ୱାରବର୍ତ୍ତୀ ବିଦେଶୀ ସମସ୍ତ ଲୋକଙ୍କୁ ସମାଜରେ ଏକତ୍ର କରିବ।
13ତହିଁରେ ସେମାନଙ୍କ ଯେଉଁ ସନ୍ତାନଗଣ ଏସବୁ ଜାଣି ନାହାନ୍ତି, ସେମାନେ ତାହା ଶୁଣିବେ ଓ ଯେଉଁ ଦେଶ ଅଧିକାର କରିବାକୁ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯାଉଅଛ, ସେହି ଦେଶରେ ଯେତେକାଳ ପ୍ରାଣ ଧାରଣ କରିବ, ସେତେକାଳ ସେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ଭୟ କରିବା ଶିଖିବେ।”
14ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ତୁମ୍ଭ ମରଣ ଦିନ ଆସି ପହଞ୍ଚିଲାଣି, ଯିହୋଶୂୟକୁ ଡାକ, ପୁଣି, ଦୁହେଁ ସମାଗମ-ତମ୍ବୁରେ ଠିଆ ହୁଅ, ଆମ୍ଭେ ତାହାକୁ ଆଜ୍ଞା ଦେବା।” ତହିଁରେ ମୋଶା ଓ ଯିହୋଶୂୟ ଯାଇ ସମାଗମ-ତମ୍ବୁରେ ଠିଆ ହେଲେ।