14ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ତୁମ୍ଭ ମରଣ ଦିନ ଆସି ପହଞ୍ଚିଲାଣି, ଯିହୋଶୂୟକୁ ଡାକ, ପୁଣି, ଦୁହେଁ ସମାଗମ-ତମ୍ବୁରେ ଠିଆ ହୁଅ, ଆମ୍ଭେ ତାହାକୁ ଆଜ୍ଞା ଦେବା।” ତହିଁରେ ମୋଶା ଓ ଯିହୋଶୂୟ ଯାଇ ସମାଗମ-ତମ୍ବୁରେ ଠିଆ ହେଲେ।
15ଏଥିରେ ସଦାପ୍ରଭୁ ସେହି ତମ୍ବୁରେ ମେଘସ୍ତମ୍ଭ ମଧ୍ୟରେ ଦର୍ଶନ ଦେଲେ ଓ ମେଘସ୍ତମ୍ଭ ତମ୍ବୁଦ୍ୱାର ଉପରେ ସ୍ଥିର ହୋଇ ରହିଲା।
16ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ତୁମ୍ଭେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶୟନ କରିବ; ତହିଁ ଉତ୍ତାରେ ଏହି ଲୋକମାନେ ଉଠିବେ, ପୁଣି ଯେଉଁ ଦେଶରେ ପ୍ରବେଶ କରିବାକୁ ଯାଉଅଛନ୍ତି, ସେହି ସ୍ଥାନର ବିଦେଶୀୟ ଦେବତାଗଣର ଅନୁଗାମୀ ହୋଇ ବ୍ୟଭିଚାର କରିବେ, ଆମ୍ଭକୁ ତ୍ୟାଗ କରିବେ ଓ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ କରିଅଛୁ, ତାହା ଲଙ୍ଘନ କରିବେ।
17ସେସମୟରେ ସେମାନଙ୍କ ପ୍ରତିକୂଳରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହେବ, ତେଣୁ ଆମ୍ଭେ ସେମାନଙ୍କୁ ତ୍ୟାଗ କରିବା ଓ ଆମ୍ଭେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇବା, ତହିଁରେ ସେମାନେ ଗ୍ରାସିତ ହେବେ ଓ ସେମାନଙ୍କ ପ୍ରତି ଅନେକ ଅମଙ୍ଗଳ ଓ କ୍ଳେଶ ଘଟିବ; ତହୁଁ ସେହି ସମୟରେ ସେମାନେ କହିବେ, ‘ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ମଧ୍ୟରେ ନ ଥିବାରୁ କି ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କୁ ଘଟୁ ନାହିଁ?’
18ମାତ୍ର ସେମାନେ ଅନ୍ୟ ଦେବତାଗଣ ପ୍ରତି ଫେରି ଯେଉଁ ଯେଉଁ କୁକର୍ମ କରିବେ, ତହିଁ ନିମନ୍ତେ ସେହି ସମୟରେ ଆମ୍ଭେ ଅବଶ୍ୟ ସେମାନଙ୍କଠାରୁ ଆପଣା ମୁଖ ଢାଙ୍କିବା।