23ପୁଣି, ସେ ନୂନର ପୁତ୍ର ଯିହୋଶୂୟଙ୍କୁ ଆଜ୍ଞା ଦେଇ କହିଲେ, “ବଳବାନ ଓ ସାହସିକ ହୁଅ; କାରଣ ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ସେହି ଦେଶକୁ ତୁମ୍ଭେ ସେମାନଙ୍କୁ ନେଇଯିବ, ଆଉ ଆମ୍ଭେ ତୁମ୍ଭର ସଙ୍ଗୀ ହେବା।”
24ଏଥିଉତ୍ତାରେ ମୋଶା ସମାପ୍ତି ପର୍ଯ୍ୟନ୍ତ ଏହି ବ୍ୟବସ୍ଥାର ସକଳ ବାକ୍ୟ ପୁସ୍ତକରେ ଲେଖି ସାରିଲା ଉତ୍ତାରେ
25ମୋଶା ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଲେବୀୟମାନଙ୍କୁ ଆଜ୍ଞା ଦେଇ କହିଲେ,
26“ତୁମ୍ଭେମାନେ ଏହି ବ୍ୟବସ୍ଥା-ପୁସ୍ତକ ନେଇ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ପାଖରେ ରଖ; ତାହା ସେହି ସ୍ଥାନରେ ତୁମ୍ଭ ପ୍ରତିକୂଳରେ ସାକ୍ଷୀ ସ୍ୱରୂପ ହୋଇ ରହିବ।
27ଯେହେତୁ ମୁଁ ତୁମ୍ଭର ବିଦ୍ରୋହିତା ଓ ଶକ୍ତଗ୍ରୀବତା ଜାଣେ; ଦେଖ, ଆଜି ମୁଁ ତୁମ୍ଭମାନଙ୍କ ମଧ୍ୟରେ ବଞ୍ଚି ଥାଉ ଥାଉ ତ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହୀ ହେଉଅଛ, ପୁଣି ମୋʼ ମରଣ ଉତ୍ତାରେ ଆଉ କେତେ ଅଧିକ ନ ହେବ?