6କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ପବିତ୍ର ଲୋକ ଅଟ; ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ମନୋନୀତ କରିଅଛନ୍ତି।
7ତୁମ୍ଭେମାନେ ଅନ୍ୟ ଲୋକଙ୍କ ଅପେକ୍ଷା ଅଧିକ ସଂଖ୍ୟକ ଥିଲ ବୋଲି ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ସ୍ନେହ ରଖିଲେ ନାହିଁ କି ତୁମ୍ଭମାନଙ୍କୁ ମନୋନୀତ କଲେ ନାହିଁ, କାରଣ ତୁମ୍ଭେମାନେ ସମସ୍ତ ଲୋକଙ୍କ ଅପେକ୍ଷା ଅଳ୍ପସଂଖ୍ୟକ ଥିଲ।
8ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ସ୍ନେହ କରିବାରୁ ଓ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ସେ ଯେଉଁ ଶପଥ କରିଥିଲେ, ତାହା ପ୍ରତିପାଳନ କରିବାକୁ ଇଚ୍ଛୁକ ହେବାରୁ ସଦାପ୍ରଭୁ ବଳବାନ ହସ୍ତ ଦ୍ୱାରା ତୁମ୍ଭମାନଙ୍କୁ ବାହାର କରି ଆଣିଅଛନ୍ତି ଓ ଦାସ୍ୟଗୃହରୁ, ମିସରର ରାଜା ଫାରୋର ହସ୍ତରୁ ତୁମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି।
9ଏହେତୁ ଜାଣ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର, କେବଳ ସେ ପରମେଶ୍ୱର ଅଟନ୍ତି; ସେ ବିଶ୍ୱସନୀୟ ପରମେଶ୍ୱର ଅଟନ୍ତି; ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ସେ ସହସ୍ର ପିଢ଼ି ପର୍ଯ୍ୟନ୍ତ ନିୟମ ଓ ଦୟା ରକ୍ଷା କରନ୍ତି।
10ପୁଣି ଯେଉଁମାନେ ତାହାଙ୍କୁ ଘୃଣା କରନ୍ତି, ସେମାନଙ୍କୁ ସଂହାର କରିବା ନିମନ୍ତେ ସେ ସେମାନଙ୍କ ସମ୍ମୁଖରେ ପରିଶୋଧ କରନ୍ତି; ଯେ ତାହାଙ୍କୁ ଘୃଣା କରେ, ସେ ତାହା ପ୍ରତି ବିଳମ୍ବ କରିବେ ନାହିଁ, ସେ ତାହାର ସମ୍ମୁଖରେ ପରିଶୋଧ କରିବେ।