3ଆଉ, ପ୍ରତ୍ୟେକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜାଜ୍ଞା ଓ ନିୟମପତ୍ର ପହଞ୍ଚିଲା, ସେହି ସକଳ ସ୍ଥାନର ଯିହୁଦୀୟମାନଙ୍କ ମଧ୍ୟରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା, ପୁଣି ଅନେକେ ଅଖା ଓ ଭସ୍ମରେ ଶୟନ କଲେ।
4ଏଣୁ ଏଷ୍ଟରଙ୍କ ଦାସୀଗଣ ଓ ନପୁଂସକମାନେ ଆସି ଏହି କଥା ତାହାଙ୍କୁ ଜଣାଇଲେ; ତେଣୁ ରାଣୀ ଅତିଶୟ ଶୋକ କଲେ; ପୁଣି, ମର୍ଦ୍ଦଖୟଠାରୁ ଅଖା କାଢ଼ି ତାହାଙ୍କୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲେ, ମାତ୍ର ସେ ତାହା ଗ୍ରହଣ କଲେ ନାହିଁ।
5ଏଥିରେ ରାଜାଙ୍କ ଦ୍ୱାରା ଏଷ୍ଟରଙ୍କ ସେବାରେ ନିଯୁକ୍ତ ହଥକ୍ ନାମକ ରାଜନପୁଂସକକୁ ଏଷ୍ଟର ଡାକି, କʼଣ ହେଲା ଓ କାହିଁକି ତାହା ହେଲା, ଏହା ଜାଣିବା ନିମନ୍ତେ ମର୍ଦ୍ଦଖୟ ନିକଟକୁ ଯିବା ପାଇଁ ତାହାଙ୍କୁ ଆଜ୍ଞା ଦେଲେ।
6ତହିଁରେ ହଥକ୍ ରାଜଦ୍ୱାର ସମ୍ମୁଖସ୍ଥ ନଗରର ଛକବନ୍ଦି ସ୍ଥାନରେ ମର୍ଦ୍ଦଖୟ ନିକଟକୁ ଗଲେ।
7ପୁଣି, ମର୍ଦ୍ଦଖୟ ଆପଣା ପ୍ରତି ଯାହା ଯାହା ଘଟିଥିଲା ଓ ଯିହୁଦୀୟମାନଙ୍କୁ ବିନାଶ କରିବା ନିମନ୍ତେ ହାମନ୍ ରାଜଭଣ୍ଡାରରେ ଠିକ୍ ଯେତେ ମୁଦ୍ରା ଦେବାକୁ ପ୍ରତିଜ୍ଞା କରିଥିଲେ, ତାହା ତାହାଙ୍କୁ କହିଲେ।