1ଏହିରୂପେ ଏଷ୍ଟର ରାଣୀ ସହିତ ରାଜା ଓ ହାମନ୍ ଭୋଜନ କରିବାକୁ ଉପସ୍ଥିତ ହେଲେ।
2ରାଜା ସେହି ଦ୍ୱିତୀୟ ଦିନ ଦ୍ରାକ୍ଷାରସ ପାନ କରିବା ବେଳେ ଏଷ୍ଟରଙ୍କୁ ପୁନର୍ବାର କହିଲେ, “ଆଗୋ ଏଷ୍ଟର ରାଣୀ, ତୁମ୍ଭର ନିବେଦନ କଅଣ? ତାହା ତୁମ୍ଭକୁ ଦତ୍ତ ହେବ ଓ ତୁମ୍ଭର ପ୍ରାର୍ଥନା କଅଣ? ତାହା ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ସିଦ୍ଧ କରାଯିବ।”
3ତେଣୁ ଏଷ୍ଟର ରାଣୀ ଉତ୍ତର ଦେଇ କହିଲେ, “ହେ ମହାରାଜ, ମୁଁ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ଆଉ, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ମୋହର ନିବେଦନାନୁସାରେ ମୋʼ ପ୍ରାଣ ଓ ମୋʼ ପ୍ରାର୍ଥନାନୁସାରେ ମୋʼ ଲୋକମାନେ ମୋତେ ଦିଆଯାଉନ୍ତୁ।