14ତହିଁରେ ଦ୍ରୁତଗାମୀ ରାଜକୀୟ ଅଶ୍ୱାରୂଢ଼ ବାର୍ତ୍ତାବାହକମାନେ ରାଜାଜ୍ଞାରେ ତ୍ୱରିତ ପ୍ରବର୍ତ୍ତିତ ହୋଇ ଚାଲିଗଲେ; ପୁଣି, ଶୂଶନ୍ ରାଜଧାନୀରେ ସେହି ଆଜ୍ଞା ପ୍ରକାଶିତ ହେଲା।
15ଏଉତ୍ତାରୁ ମର୍ଦ୍ଦଖୟ ନୀଳ ଓ ଶୁକ୍ଳବର୍ଣ୍ଣ ରାଜକୀୟ ବସ୍ତ୍ର ପିନ୍ଧି, ମସ୍ତକରେ ସୁବର୍ଣ୍ଣମୟ ବୃହତ ମୁକୁଟ ଦେଇ, ସରୁ ଓ ଧୂମ୍ରବର୍ଣ୍ଣ ଉତ୍ତରୀୟ ବସ୍ତ୍ରରେ ବସ୍ତ୍ରାନ୍ୱିତ ହୋଇ ରାଜା ଛାମୁରୁ ବାହାରକୁ ଗଲ; ତହିଁରେ ଶୂଶନ୍ ରାଜଧାନୀ ଆନନ୍ଦ ଓ ହର୍ଷନାଦରେ ପରିପୂର୍ଣ୍ଣ ହେଲା।
16ଆଉ, ଯିହୁଦୀୟମାନଙ୍କର ଦୀପ୍ତି ଓ ଆନନ୍ଦ ଓ ହର୍ଷ ଓ ସମ୍ଭ୍ରମର ଉଦୟ ହେଲା।
17ପୁଣି, ପ୍ରତି ପ୍ରଦେଶରେ ଓ ପ୍ରତି ନଗରରେ ଯେକୌଣସି ସ୍ଥାନରେ ରାଜାଜ୍ଞା ଓ ନିୟମପତ୍ର ଉପସ୍ଥିତ ହେଲା, ସେହି ସେହି ସ୍ଥାନରେ ଯିହୁଦୀୟମାନଙ୍କର ଆନନ୍ଦ, ଆମୋଦ, ଭୋଜ ଓ ମଙ୍ଗଳର ଦିନ ହେଲା, ପୁଣି ଦେଶର ଅନେକ ଲୋକ ଯିହୁଦୀୟ ମତାବଲମ୍ବୀ ହେଲେ; ଯେହେତୁ ସେମାନେ ଯିହୁଦୀୟମାନଙ୍କ ସକାଶେ ଭୀତ ହେଲେ।