15ସେତେବେଳେ ଫାରୋ ଆମ୍ଭମାନଙ୍କୁ ଯିବାକୁ ଦେବା ପାଇଁ କଠିନ ହୁଅନ୍ତେ, ସଦାପ୍ରଭୁ ମିସର ଦେଶସ୍ଥିତ ମନୁଷ୍ୟ ଓ ପଶ୍ୱାଦିର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ବଧ କରିଥିଲେ; ଏହେତୁ ଆମ୍ଭେ ପ୍ରଥମଜାତ ପୁତ୍ରସନ୍ତାନମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରୁ; ମାତ୍ର ଆମ୍ଭର ପ୍ରଥମଜାତ ପୁତ୍ର ସମସ୍ତଙ୍କୁ ମୁକ୍ତ କରୁ।’
16ଏହା ଚିହ୍ନ ସ୍ୱରୂପେ ତୁମ୍ଭ ହସ୍ତରେ ଓ ଭୂଷଣ ସ୍ୱରୂପେ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ; ଯେହେତୁ ସଦାପ୍ରଭୁ ବାହୁ ବଳରେ ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ।”
17ଏଥିଉତ୍ତାରେ ଫାରୋ ଲୋକମାନଙ୍କୁ ଯିବାକୁ ଦିଅନ୍ତେ, ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ଯିବାର ପଥ ନିକଟ ହେଲେ ହେଁ ପରମେଶ୍ୱର ସେହି ପଥରେ ସେମାନଙ୍କୁ ଗମନ କରାଇଲେ ନାହିଁ; ଯେହେତୁ ପରମେଶ୍ୱର କହିଲେ, “ଯେବେ ଲୋକମାନେ ଯୁଦ୍ଧ ଦେଖନ୍ତି ସେମାନେ ଆପଣା ଆପଣାର ମନକୁ ବଦଳାଇ ମିସରକୁ ଫେରିଯାଇ ପାରନ୍ତି।”
18ଏହେତୁ ପରମେଶ୍ୱର ସେମାନଙ୍କୁ ସୂଫ ସାଗରର ପ୍ରାନ୍ତରଗାମୀ ବକ୍ର ପଥରେ ଗମନ କରାଇଲେ ଓ ଇସ୍ରାଏଲ-ସନ୍ତାନଗଣ ସସଜ୍ଜ ହୋଇ ମିସରଠାରୁ ଯାତ୍ରା କଲେ।
19ପୁଣି, ମୋଶା ଯୋଷେଫଙ୍କର ଅସ୍ଥି ଆପଣା ସଙ୍ଗେ ନେଲେ; କାରଣ ସେ ଇସ୍ରାଏଲ-ସନ୍ତାନଗଣକୁ ଦୃଢ଼ ଶପଥ କରାଇ କହିଥିଲେ, “ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ତତ୍ତ୍ୱାବଧାନ କରିବେ; ସେସମୟରେ ତୁମ୍ଭେମାନେ ଆପଣାମାନଙ୍କ ସହିତ ଆମ୍ଭର ଅସ୍ଥି ଏହି ସ୍ଥାନରୁ ନେଇଯିବ।”