14ଆଉ ଭବିଷ୍ୟତ କାଳରେ ତୁମ୍ଭର ପୁତ୍ର ଯଦି ପଚାରିବ, ‘ଏହା କଅଣ?’ ତେବେ ତୁମ୍ଭେ କହିବ, ‘ସଦାପ୍ରଭୁ ଯେତେବେଳେ ଆମ୍ଭମାନଙ୍କୁ ଆପଣା ବାହୁ ବଳ ଦ୍ୱାରା ଦାସଗୃହ ସ୍ୱରୂପ ମିସରଠାରୁ ବାହାର କଲେ,
15ସେତେବେଳେ ଫାରୋ ଆମ୍ଭମାନଙ୍କୁ ଯିବାକୁ ଦେବା ପାଇଁ କଠିନ ହୁଅନ୍ତେ, ସଦାପ୍ରଭୁ ମିସର ଦେଶସ୍ଥିତ ମନୁଷ୍ୟ ଓ ପଶ୍ୱାଦିର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ବଧ କରିଥିଲେ; ଏହେତୁ ଆମ୍ଭେ ପ୍ରଥମଜାତ ପୁତ୍ରସନ୍ତାନମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରୁ; ମାତ୍ର ଆମ୍ଭର ପ୍ରଥମଜାତ ପୁତ୍ର ସମସ୍ତଙ୍କୁ ମୁକ୍ତ କରୁ।’
16ଏହା ଚିହ୍ନ ସ୍ୱରୂପେ ତୁମ୍ଭ ହସ୍ତରେ ଓ ଭୂଷଣ ସ୍ୱରୂପେ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ; ଯେହେତୁ ସଦାପ୍ରଭୁ ବାହୁ ବଳରେ ଆମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ।”
17ଏଥିଉତ୍ତାରେ ଫାରୋ ଲୋକମାନଙ୍କୁ ଯିବାକୁ ଦିଅନ୍ତେ, ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ଯିବାର ପଥ ନିକଟ ହେଲେ ହେଁ ପରମେଶ୍ୱର ସେହି ପଥରେ ସେମାନଙ୍କୁ ଗମନ କରାଇଲେ ନାହିଁ; ଯେହେତୁ ପରମେଶ୍ୱର କହିଲେ, “ଯେବେ ଲୋକମାନେ ଯୁଦ୍ଧ ଦେଖନ୍ତି ସେମାନେ ଆପଣା ଆପଣାର ମନକୁ ବଦଳାଇ ମିସରକୁ ଫେରିଯାଇ ପାରନ୍ତି।”
18ଏହେତୁ ପରମେଶ୍ୱର ସେମାନଙ୍କୁ ସୂଫ ସାଗରର ପ୍ରାନ୍ତରଗାମୀ ବକ୍ର ପଥରେ ଗମନ କରାଇଲେ ଓ ଇସ୍ରାଏଲ-ସନ୍ତାନଗଣ ସସଜ୍ଜ ହୋଇ ମିସରଠାରୁ ଯାତ୍ରା କଲେ।