11ଓ ତୃତୀୟ ଦିନ ନିମନ୍ତେ ସମସ୍ତେ ପ୍ରସ୍ତୁତ ହେଉନ୍ତୁ; କାରଣ ତୃତୀୟ ଦିନରେ ସଦାପ୍ରଭୁ ସମସ୍ତ ଲୋକଙ୍କ ସାକ୍ଷାତରେ ସୀନୟ ପର୍ବତ ଉପରକୁ ଓହ୍ଲାଇ ଆସିବେ।
12ଏହେତୁ ତୁମ୍ଭେ ଲୋକମାନଙ୍କ ଚତୁର୍ଦ୍ଦିଗରେ ସୀମା ନିରୂପଣ କରି ଏହି କଥା କୁହ, ‘ତୁମ୍ଭେମାନେ ପର୍ବତାରୋହଣ ଓ ତହିଁର ସୀମା ସ୍ପର୍ଶ କରିବାକୁ ସାବଧାନ ହୁଅ; ଯେକେହି ପର୍ବତ ସ୍ପର୍ଶ କରିବ, ସେ ଅବଶ୍ୟ ହତ ହେବ।’
13କାହାର ହାତ ତାହାକୁ ସ୍ପର୍ଶ କରିବ ନାହିଁ, ମାତ୍ର ସେ ଅବଶ୍ୟ ପ୍ରସ୍ତରାଘାତରେ ହତ ହେବ, କିମ୍ବା ବାଣ ଦ୍ୱାରା ବିଦ୍ଧ ହେବ; ପଶୁ ହେଉ କି ମନୁଷ୍ୟ ହେଉ, କଦାପି ବଞ୍ଚିବ ନାହିଁ; ତୂରୀର ଦୀର୍ଘଧ୍ୱନି ହେଲେ ସେମାନେ ପର୍ବତ ପର୍ଯ୍ୟନ୍ତ ଉଠି ଆସିବେ।”
14ଏଥିଉତ୍ତାରେ ମୋଶା ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଆସି ସେମାନଙ୍କୁ ପବିତ୍ର କଲେ, ପୁଣି, ସେମାନେ ଆପଣା ଆପଣା ବସ୍ତ୍ରସବୁ ଧୌତ କଲେ।
15ତହୁଁ ସେ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ତୃତୀୟ ଦିନ ନିମନ୍ତେ ପ୍ରସ୍ତୁତ ହୁଅ; ପୁଣି ଆପଣା ଆପଣା ଭାର୍ଯ୍ୟା ସହ ଶୟନ କର ନାହିଁ।”