18ପୁଣି, ତୁମ୍ଭେ ସମ୍ପୂର୍ଣ୍ଣ ମେଷକୁ ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କର ହୋମବଳି ଓ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଅଟେ।
19ଏଥିଉତ୍ତାରେ ତୁମ୍ଭେ ଦ୍ୱିତୀୟ ମେଷକୁ ନେବ, ପୁଣି, ହାରୋଣ ଓ ତାହାର ପୁତ୍ରଗଣ ସେହି ମେଷର ମସ୍ତକରେ ଆପଣା ଆପଣା ହସ୍ତ ରଖିବେ।
20ତହୁଁ ତୁମ୍ଭେ ସେହି ମେଷକୁ ବଧ କରି ତାହାର କିଛି ରକ୍ତ ଘେନି ହାରୋଣର ଦକ୍ଷିଣ କର୍ଣ୍ଣପ୍ରାନ୍ତରେ ଓ ତାହାର ପୁତ୍ରଗଣର ଦକ୍ଷିଣ କର୍ଣ୍ଣପ୍ରାନ୍ତରେ, ସେମାନଙ୍କ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଷ୍ଠି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଷ୍ଠି ଉପରେ ଲଗାଇବ, ପୁଣି, ବେଦି ଉପରେ ଚାରିଆଡ଼େ ରକ୍ତ ଛିଞ୍ଚିବ।
21ଏଥିଉତ୍ତାରେ ବେଦିର ଉପରିସ୍ଥିତ ରକ୍ତରୁ ଓ ଅଭିଷେକାର୍ଥକ ତୈଳରୁ କିଛି ନେଇ ହାରୋଣ ଉପରେ ଓ ତାହାର ବସ୍ତ୍ର ଉପରେ, ପୁଣି, ତାହା ସହିତ ତାହାର ପୁତ୍ରଗଣ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ଛିଞ୍ଚିବ; ତହିଁରେ ସେ ଓ ତାହା ସହିତ ତାହାର ବସ୍ତ୍ର, ପୁଣି, ତାହାର ପୁତ୍ରଗଣ ଓ ସେମାନଙ୍କ ବସ୍ତ୍ର ପବିତ୍ର ହେବ।
22ଆହୁରି, ତୁମ୍ଭେ ସେହି ମେଷର ମେଦ, ମେଦମୟ ଲାଙ୍ଗୁଳ, ଅନ୍ତ୍ର ଉପରିସ୍ଥ ମେଦ, ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ, ଦୁଇ ଗୁର୍ଦା, ତହିଁ ଉପରିସ୍ଥ ମେଦ ଓ ଡାହାଣ ଚଟୁଆ ନେବ, ଯେହେତୁ ତାହା ଉତ୍ସର୍ଗୀକୃତ ମେଷ ଅଟେ।