12ତହୁଁ ସେ କହିଲେ, “ଆମ୍ଭେ ଅବଶ୍ୟ ତୁମ୍ଭର ସହବର୍ତ୍ତୀ ହେବା; ପୁଣି, ଆମ୍ଭେ ଯେ ତୁମ୍ଭକୁ ପ୍ରେରଣ କଲୁ, ତହିଁର ଏକ ଚିହ୍ନ ଜାଣିବ, ତୁମ୍ଭେ ମିସରରୁ ଲୋକସମୂହ ବାହାର କରି ଆଣିଲା ଉତ୍ତାରେ ତୁମ୍ଭେମାନେ ଏହି ପର୍ବତରେ ପରମେଶ୍ୱରଙ୍କର ସେବା କରିବ।”
13ଏଥିଉତ୍ତାରେ ମୋଶା ପରମେଶ୍ୱରଙ୍କୁ କହିଲେ, “ଦେଖ, ମୁଁ ଯେତେବେଳେ ଇସ୍ରାଏଲର ସନ୍ତାନମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି, ‘କି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ୱର ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି;’ ପୁଣି, ସେମାନେ ପଚାରିବେ, ‘ତାହାଙ୍କର ନାମ କଅଣ?’ ସେତେବେଳେ ମୁଁ କି ଉତ୍ତର ଦେବି?”
14ତହିଁରେ ପରମେଶ୍ୱର ମୋଶାଙ୍କୁ କହିଲେ, “ଆମ୍ଭେ ଯେ ଅଛୁ, ସେ ଅଛୁ,” ପୁଣି, ସେ କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କହିବ, ‘ସ୍ୱୟମ୍ଭୂ (ଆମ୍ଭେ ଅଛୁ) ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଅଛନ୍ତି।’”
15ପରମେଶ୍ୱର ମୋଶାଙ୍କୁ ଆହୁରି କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଏହି କଥା କହିବ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍, ଅବ୍ରହାମର ପରମେଶ୍ୱର, ଇସ୍ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର ଯେ ସଦାପ୍ରଭୁ (ସ୍ୱୟମ୍ଭୂ), ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଅଛନ୍ତି; ଆମ୍ଭର ଏହି ନାମ ଅନନ୍ତକାଳସ୍ଥାୟୀ, ପୁଣି, ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ।’
16ତୁମ୍ଭେ ଯାଇ ଇସ୍ରାଏଲ ବଂଶର ପ୍ରାଚୀନଗଣକୁ ଏକତ୍ର କରି ଏହି କଥା କୁହ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍, ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ୱର ସଦାପ୍ରଭୁ ମୋତେ ଦର୍ଶନ ଦେଇ କହିଅଛନ୍ତି, ଆମ୍ଭେ ତୁମ୍ଭମାନଙ୍କର ଓ ମିସରରେ ତୁମ୍ଭମାନଙ୍କ ପ୍ରତି ଯାହା ଯାହା କରାଯାଉଅଛି, ସେସମସ୍ତ ବିଷୟର ଧ୍ୟାନ ଦେଇଅଛୁ।