14ତହିଁରେ ପରମେଶ୍ୱର ମୋଶାଙ୍କୁ କହିଲେ, “ଆମ୍ଭେ ଯେ ଅଛୁ, ସେ ଅଛୁ,” ପୁଣି, ସେ କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କହିବ, ‘ସ୍ୱୟମ୍ଭୂ (ଆମ୍ଭେ ଅଛୁ) ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଅଛନ୍ତି।’”
15ପରମେଶ୍ୱର ମୋଶାଙ୍କୁ ଆହୁରି କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଏହି କଥା କହିବ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍, ଅବ୍ରହାମର ପରମେଶ୍ୱର, ଇସ୍ହାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର ଯେ ସଦାପ୍ରଭୁ (ସ୍ୱୟମ୍ଭୂ), ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଅଛନ୍ତି; ଆମ୍ଭର ଏହି ନାମ ଅନନ୍ତକାଳସ୍ଥାୟୀ, ପୁଣି, ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ।’
16ତୁମ୍ଭେ ଯାଇ ଇସ୍ରାଏଲ ବଂଶର ପ୍ରାଚୀନଗଣକୁ ଏକତ୍ର କରି ଏହି କଥା କୁହ, ‘ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ଅର୍ଥାତ୍, ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ୱର ସଦାପ୍ରଭୁ ମୋତେ ଦର୍ଶନ ଦେଇ କହିଅଛନ୍ତି, ଆମ୍ଭେ ତୁମ୍ଭମାନଙ୍କର ଓ ମିସରରେ ତୁମ୍ଭମାନଙ୍କ ପ୍ରତି ଯାହା ଯାହା କରାଯାଉଅଛି, ସେସମସ୍ତ ବିଷୟର ଧ୍ୟାନ ଦେଇଅଛୁ।
17ପୁଣି, ଆମ୍ଭେ ତୁମ୍ଭମାନଙ୍କୁ ମିସରର କ୍ଳେଶରୁ ଉଦ୍ଧାର କରି କିଣାନୀୟମାନଙ୍କ, ହିତ୍ତୀୟମାନଙ୍କ, ଇମୋରୀୟମାନଙ୍କ, ପରିଷୀୟମାନଙ୍କ, ହିବ୍ବୀୟମାନଙ୍କ ଓ ଯିବୂଷୀୟମାନଙ୍କର ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ନେଇଯିବୁ ବୋଲି କହିଅଛୁ।’
18ଏଥିରେ ସେମାନେ ତୁମ୍ଭ ରବରେ ଅବଧାନ କରିବେ; ତହୁଁ ତୁମ୍ଭେ ଓ ଇସ୍ରାଏଲ ବଂଶର ପ୍ରାଚୀନବର୍ଗ ମିସରର ରାଜା ନିକଟକୁ ଯାଇ ଏହି କଥା କହିବ, ‘ଏବ୍ରୀୟ ଲୋକମାନଙ୍କ ପରମେଶ୍ୱର ସଦାପ୍ରଭୁ ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି; ଏହେତୁ ବିନୟ କରୁଅଛୁ, ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମିତ୍ତ ଏବେ ଆମ୍ଭମାନଙ୍କୁ ତିନି ଦିନର ପଥ ପ୍ରାନ୍ତରକୁ ଯିବା ପାଇଁ ଅନୁମତି ଦେଉନ୍ତୁ।’