4ଲୋକମାନେ ଏହି ଅଶୁଭ ସମ୍ବାଦ ଶୁଣି ଶୋକ କଲେ; କେହି ଆପଣା ଶରୀରରେ ଆଭରଣ ପରିଧାନ କଲେ ନାହିଁ।
5କାରଣ ସଦାପ୍ରଭୁ ମୋଶାଙ୍କୁ କହିଥିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ ଏହି କଥା କୁହ, ତୁମ୍ଭେମାନେ ଶକ୍ତଗ୍ରୀବ ଲୋକ; ଯଦି ଆମ୍ଭେ ଏକ ନିମିଷ ତୁମ୍ଭ ମଧ୍ୟକୁ ଯିବା, ତେବେ ତୁମ୍ଭଙ୍କୁ ସଂହାର କରିବା; ତୁମ୍ଭେ ଏବେ ଆପଣା ଶରୀରରୁ ଆଭରଣ ଦୂର କର, ତହିଁରେ ତୁମ୍ଭ ପ୍ରତି କି କର୍ତ୍ତବ୍ୟ ତାହା ଜାଣିବା।”
6ଏଥିରେ ଇସ୍ରାଏଲ-ସନ୍ତାନଗଣ ହୋରେବ ପର୍ବତ ନିକଟରୁ ଅଗ୍ରସର ହୋଇଯାଉ ଯାଉ ଆପଣା ଆପଣା ସମସ୍ତ ଆଭରଣ ଦୂର କଲେ।
7ଏସମୟରେ ଏପରି ଥିଲା ଯେ, ମୋଶା ଆପଣା ତମ୍ବୁ ନେଇ ଛାଉଣିର ବାହାରେ ଓ ଛାଉଣିଠାରୁ ଦୂରରେ ସ୍ଥାପନ କଲେ ଓ ତାହାର ନାମ ସମାଗମ-ତମ୍ବୁ ଦେଲେ। ସଦାପ୍ରଭୁଙ୍କ ଅନ୍ୱେଷଣକାରୀ ପ୍ରତ୍ୟେକ ଲୋକ ଛାଉଣିର ବାହାରସ୍ଥିତ ସେହି ସମାଗମ-ତମ୍ବୁ ନିକଟକୁ ଯାʼନ୍ତି।
8ପୁଣି, ଏପରି ଘଟିଲା ଯେ, ମୋଶା ବାହାର ହୋଇ ସେହି ତମ୍ବୁ ନିକଟକୁ ଯିବା ସମୟରେ ସମସ୍ତ ଲୋକ ଉଠି ଆପଣା ଆପଣା ତମ୍ବୁ ଦ୍ୱାରରେ ଠିଆ ହେଲେ, ଆଉ ଯେପର୍ଯ୍ୟନ୍ତ ମୋଶା ସେହି ତମ୍ବୁରେ ପ୍ରବେଶ କଲେ ନାହିଁ, ସେପର୍ଯ୍ୟନ୍ତ ସେମାନେ ତାଙ୍କର ପଶ୍ଚାତ୍ ଅନାଇ ରହିଲେ।